ନଗଡାରୁ ନଅଟି ପ୍ରଶ୍ନ

ଯାଜପୁର ଜିଲାର ଅଖ୍ୟାତ ପଲ୍ଲୀ ନଗଡ଼ା ଏବେ ଏକ ଭିନ୍ନ କାରଣ ପାଇଁ ଲୋକଙ୍କ ପାଖରେ ଚର୍ଚ୍ଚାର ପାଲଟିଛି । ଜିଲାର ସୁକିନ୍ଦା ବ୍ଲକରେ ଥିବା ଏହି ପଲ୍ଲୀରେ ପ୍ରାୟ ୨୫୦ ପାଖାପାଖି ଜୁଆଙ୍ଗ ପରିବାରରେ ଗତ ୬ ମାସ ମଧ୍ୟରେ ପ୍ରାୟ ୧୫ ରୁ ୨୦ଟି ଶିଶୁଙ୍କର ଜୀବନଦୀପ ଅପପୁଷ୍ଟି ଏବଂ କୁପୋଷଣ ଜନିତ କାରଣ ପାଇଁ ଅସମୟରେ ଲିଭି ଯାଇଛିି । ଏବେବେି ଆହୁରି ୫୦ ପାଖାପାଖି ଶିଶୁ କୁପୋଷଣର ଶିକାର ହୋଇ ଜୀବନ ବଂଚାଇବାକୁ ପ୍ରୟାସ କରୁଛନ୍ତି । ରାସ୍ତାର ଅଭାବଯୋଗୁଁ ଦୀର୍ଘ ବର୍ଷଧରି ଏହି ଗାଁର ଲୋକମାନେ ବାହ୍ୟ ଜଗତଠାରୁ ବିଛିନ୍ନ ହୋଇ ରହିଛନ୍ତି । ନଗଡା ଏବଂ ଏହାର ଆଖ ପାଖ ଗାଁ ଏବଂ ପଡାରେ ପ୍ରାୟ ୮୫ ଟି ପରିବାର ଜୀବନଧାରଣର ମୌଳିକସୁବିଧା ସୁଯୋଗରୁ ବଂଚିତ । ସେଠାରେ ରହୁଥିବା ଏକାଧିକ ପରିବାରରେ ୮-୯ଟି ଲେଖାଏଁ ପିଲା । ଖାଦ୍ୟ କହିଲେ ଭାତ ଏବଂ ଲୁଣ ।ଲୋକଙ୍କ ପାଖରେ ରାଶନ କାର୍ଡ କିମ୍ବା ଜବ କାର୍ଡ ନାହିଁ । ଅପପୁଷ୍ଟି ଜନିତ କାରଣ ପାଇଁ ଶିଶୁ ମୃତୁ୍ୟ ଯୋଗୁଁ ଓଡିଶାର ଇଥିଓପିଆ ବୋଲି ଗଣମାଧମରେ ଅପଖ୍ୟାତି ପାଇଲା ପରେ ଏଠାର ସ୍ଥାନୀୟ ପ୍ରଶାସକ ଏବଂ ରାଜନେତା ମାନେ ଭିଡ ଲଗାଇଛନ୍ତି । ନଗଡାର ବିକାଶ ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ମାନ ଘୋଷଣା କରାଯାଇଛି । ଯଦିଓ ଏ କାର୍ଯ୍ୟକ୍ରମ ମାଧ୍ୟମରେ ନଗଡାର ବିକାଶ ହେବ ବୋଲି ଆଶାକରାଯାଉଛି ତଥାପି ରାଜ୍ୟର ଅନ୍ୟ ପ୍ରାନ୍ତରୁ କିଛି ବଡଖବର ନଆସିବା ଯାଏ ନଗଡାର କୁପୋଷିତ ଶିଶୁର ଚିତ୍ର ଖବରକାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ ବଜାୟ ରଖିବ ବୋଲି ଆଶା କରାଯାଏ।
ନଗଡା ପରି ପରିସ୍ଥିତିରେ ସମସ୍ୟାର ତୁରନ୍ତ ସମାଧାନ ଯେତିକି ଜରୁରୀ ପରିସ୍ଥିତି ସହ ଜଡିତ ପ୍ରଶ୍ନମାନଙ୍କର ତର୍ଜମା ମଧ୍ୟ ସେତିକି ଜରୁରୀ । ହୁଏତ ସମସ୍ୟାର ତୁରନ୍ତ ସମାଧାନ ନଗଡାର ଚିତ୍ରକୁ ବିକାଶର ଗୋଲାପୀ ତୁଳୀରେ ରଂଗାଇ ଦେଇ ପାରେ ମାତ୍ର ଏ ସବୁ ସମସ୍ୟା ସହ ଜଡିତ ପ୍ରଶ୍ନ ମାନଙ୍କର ଉତ୍ତର ନଖୋଜିଲେ ଏବଂ ସମସ୍ୟାର ସ୍ଥାୟୀ ସମାଧାନ ନକଲେ ସେ ବିକାଶର ଚିତ୍ର ସବୁ ଧୁମିଳ ହୋଇଯିବ । ଅତୀତରେ ଯେତେବେଳେ ବି ବିକାଶର କଥା ଉଠିଛି ବା ଯେତେବେଳେବି କ୍ଷୁଧା,ଅପମୃତୁ୍ୟ କିମ୍ବା ଦାରିଦ୍ର୍ୟ ଗଣମାଧ୍ୟମରେ ଶୀର୍ଷସ୍ଥାନ ମଣ୍ଡନ କରିଛି ସେତେବେଳେ ସମସ୍ୟା ସହ ଜଡିତ ମୌଳିକ ପ୍ରଶ୍ନର ଉତ୍ତର ନ ଖୋଜି ବରଂ ସ୍ଥୁଳ ରୁପେ ଲୋକଙ୍କୁ ସନ୍ତୁଷ୍ଟ କଲାପରି ସ୍ବଳ୍ପ ମିଆଦୀ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ଏପରି କରାଯାଇ ପରିସ୍ଥିତିକୁ ଅଧିକ ଲଜ୍ଜାକର ହେବାରୁ ରକ୍ଷା କରାଯାଇଛି ମାତ୍ର ସମୟକ୍ରମେ ଘଟଣା ଉପରୁ ଦୃଷ୍ଟି ହଟିଗଲା ପରେ ପୁଣି ଯଥା ପୂର୍ବଂ ତଥା ପରଂ ସ୍ଥିତିକୁ ଫେରିଆସିଛି । ଏଣୁ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ହେଲେ ସମସ୍ୟା ସହ ଜଡିତ ମୌଳିକ ପ୍ରଶ୍ନ ସବୁର ଉତ୍ତର ଖୋଜିବା ଏକାନ୍ତ ଆବଶ୍ୟକ ଓ ନଗଡା ର ଘଟଣା ସବୁ ଏଥିପାଇଁ ଆମକୁ ସୁବର୍ଣ୍ଣ ସୁଯୋଗ ଦେଇଛି ।
ନଗଡାର ପରିସ୍ଥିତିକୁ ଗୁରୁତର ଭାବେ ଅନୁଧ୍ୟାନ କଲେ ଜଣେ ସଚେତନ ନାଗରିକ ମନରେ ନିମ୍ନଲିଖିତ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ ।

୧. ଓଡିଶା ଭୁଖଣ୍ଡରେ ଯାଜପରୁ ଜିଲାରେ ନଗଡା ବୋଲି ଗୋଟିଏ ଗାଁ ଅଛି ବୋଲି କଣ ପ୍ରଶାସନ ଜାଣି ନଥିଲା କି? ଯଦି ଜାଣିଥିଲା ତେବେ ସେଠାରେ ନିୟମିତଭାବରେ ପହଁଚିବା ପାଇଁ କାହିଁକି ଚେଷ୍ଟା କରାଯାଉନଥିଲା। ଯେଉଁଠି ଚନ୍ଦ୍ର ଏବଂ ମଙ୍ଗଳରେ ପହଁଚି ମଣିଷ ଗର୍ବ ଅନୁଭବ କରିପାରୁଛି ସେଠି ନଗଡା ପରି ଗାଁରେ ପହଁଚିବା ପାଇଁ ମାନସିକତା ଦେଖାଇ ପାରୁ ନାହିଁ କାହିଁକି ? ସତରେ କଣ ନଗଡାରେ ପହଁଚିବା ଚନ୍ଦ୍ରରେ ପହଁଚିବାଠାରୁ କଷ୍ଟକର? ଚନ୍ଦ୍ର ଏବଂ ମଙ୍ଗଳରେ ପହଁଚିବା କଣ ଉପଲବ୍ଧି ଆଉ ନଗଡାରେ ପହଁଚିବା କଣ ଏକ ଆହ୍ବାନ?
୨. ଅପପୁଷ୍ଟି ଦିନକରେ ହୁଏନାହିଁ । ଅପପୁଷ୍ଟିର ଶୀକାର ହୋଇ ମୃତୁ୍ୟବରଣ କରୁଥିବା ଶିଶୁଟିଏ ବେଶ କିଛିଦିନ ଜୀବନଯୁଦ୍ଧରେ ସଂଗ୍ରାମ କରିଥାଏ  । ଏତଏବ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ବେଶ କିଛିଦିନ ସମୟ ମିଳିଥାଏ । ଏ ସମୟ ଭିତରେ ରାଜ୍ୟ ସରକାରଙ୍କର ବିଭିନ୍ନ କ୍ଷେତ୍ର ସ୍ତରୀୟ କର୍ମଚାରୀ ସେଠି କଣ କରୁଥିଲେ ? ଏହି ଘଟଣା ଘଟିଚାଲୁଥିଲାବେଳେ ସେମାନେ କଣ କେହି ବି ସେ ଅଂଚଳକୁ ଯାଉନଥିଲେ । ଯଦି ଯାଉଥିଲେ ତେବେ ନିଜ ଟୁର ରିପୋର୍ଟରେ କଣ ଲେଖୁଥିଲେ । ଏ ରିପୋର୍ଟ ସବୁରେ କଣ ଉଲ୍ଲେଖ ରହୁଥିଲା। ଏ ରିପୋର୍ଟକୁ କିଏ ଅଧ୍ୟୟନ କରୁଥିଲେ? କଣ ଏ ଘଟଣା ଘଟି ଚାଲୁଥିଲା, ପ୍ରଶାସନର ଅଧିକାରୀଙ୍କ ଟୁର ରିପୋର୍ଟରେ ଏ କଥା ଉଲ୍ଲେଖ ରହୁଥିଲା ମାତ୍ର କାଳେ ଖବରଟି ବାହାରକୁ ଆସିଯିବ ସେହି ଭୟରେ କେହି ମୁହଁ ଖୋଲୁନଥିଲେ? ଅର୍ଥାତ ପ୍ରଶାସନର ଅଗୋଚରରେ ଏସବୁ ଘଟୁନଥିଲା ।
୩. ବ୍ଲକ୍ ସ୍ତରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମାସିକିଆ ବୈଠକ ଅନୁଷ୍ଠିତ ହୁଏ  । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ପଂଚାୟତିରାଜ ବିଭାଗ ତରଫରୁ ମାସର ନିର୍ଦ୍ଧାରିତ ସମୟରେ ଏହି ବୈଠକ ଅନୁଷ୍ଠି ହୁଏ । କଣ କେବେବି ଏହି ବୈଠକରେ ନଗଡା ବିଷୟରେ ଆଲୋଚନା ହେଉନଥିଲା ?ଯଦି ଆଲୋଚନା ହେଉଥିଲା ଅଥଚ ଶିଶୁ ମୃତୁ୍ୟ ଘଟଣା ଘଟିଚାଲିଥିଲା ତେବେ ଏହା କିପ୍ରକାର ଆଲୋଚନା? କେବଳ କଣ ଚାହା ପିଇ ଆଉ ଟିଫନ ଖାଇ ପଦାଧିକାରୀ ମାନେ ଘରକୁ ଫେରି ଆସୁଥିଲେ? ସବୁ ଠିକ ଚାଲିଛି ଏବଂ ଯାହାବି ଭୁଲ ଅଛି ତାହା ଠିକ ହୋଇଯିବ ବୋଲି ନିଜକୁ ସାବାସୀ ଦେଇ ନଗଡାର ଦୁଃଖକୁ ଆଲୋଚନାର ପରିଧିରେ ଆଣୁନଥିଲେ ।
୪. ସଚିବ ମାନେ ଜିଲାରେ ଏବଂ ଜିଲାପାଳମାନେ ଗାଁରେ ରାତି ବିତାଇବା ପାଇଁ ସରକାର ଲିଖିତ ନିଦେ୍ର୍ଧଶ ଜାରୀ କରିଛନ୍ତି? ମାତ୍ର ନଗଡା କିମ୍ବା ଏହାର ଆଖପାଖ ଗାଁରେ ସେମିତି ପ୍ରଭାବଶାଳୀ ଅଫିସର ରାତିରେ ରହିବାର ନଜୀର ଅଛି କି? ହୁଏତ ଏପରି ହୋଇଥିଲେ ନଗଡା ଇଥୋପିଇଆ ପାଲଟିନଥାନ୍ତା । ସେହିପରି ସେଠିକାର ଶିଳ୍ପାନୁଷ୍ଠାନମାନେ ନିଜ ଲାଭାଂଶରୁ ଯଦି ୧% ବି ନଗଡା ପରି ଅଂଚଳ ପାଇଁ ଖର୍ଚ କରିଥାନ୍ତେ ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା । ପାଖରେ ଥିବା ଶିଳ୍ପ ସମୃଦ୍ଧ କଳିଙ୍ଗନଗରର ଏକ ଉପାନ୍ତ ଅଂଚଳରେ ଏହି ଗାଁ ରେ ଥିବା ସମସ୍ୟାର ସମାଧାନ ପାଇଁ ଶିଳ୍ପସଂସ୍ଥାର ସହାୟତା ଲୋଡା ଯାଇପାରିଥାନ୍ତା । ଏନେଇ କେବେ କେହି ଆନ୍ତରିକ ଉଦ୍ୟମ କରିଥିବାର ତଥ୍ୟ ସରକାର ଦେଇ ପାରିବେ କି?
୫. ନଗଡା ପରି ଗାଁ ଆଉ କେତେ ଗାଁ ଓଡିଶାରେ ଅଛି ସେ ନେଇ ହିସାବ କାହା ପାଖରେ ଅଛି କି? ଏବେ ବି ଅନେକ ଗାଁ ଅଛି ରାଜସ୍ୱ ଗା୍ରମ ଠାରୁ ଅଲଗାହୋଇ ପଡା ଆକାରରେ ଅଛି । ଲୋକସଂଖ୍ୟା ମୁଖ୍ୟଗାଁଠୁ ଅଧିକ ହେଲେ ବି ରାଜସ୍ବ ଗ୍ରାମ ହୋଇ ନଥିବାରୁ ଅନେକ ସମୟରେ ସରକାରୀ ସୁବିଧା ସୁଯୋଗ ସବୁ ପାଇନଥାନ୍ତି । ଏପରି ସ୍ଥିତିରେ ଏସବୁ ଗାଁ ଉପରେ ଆଉଥରେ ଦୃଷ୍ଟି ଦେଇ ସେମାନଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚେଷ୍ଟା କରାଯିବା ପାଇଁ ନଗଡା ଘଟଣା ଇଂଗିତ ଦେଉନାର୍ହି କି?
୬. ପ୍ରତି ରାଜସ୍ବ ଗ୍ରାମରେ ସରକାର ସ୍ବାସ୍ଥ୍ୟ, ପୁଷ୍ଟି ଏବଂ ପରିମଳ ପାଇଁ ଗୋଟିଏ ଲେଖାଏଁ ଗାଁ କଲ୍ୟାଣ ସମିତି ଗଠନ କରିଛନ୍ତି । ସ୍ବାସ୍ଥ୍ୟସେବାକ୍ଷେତ୍ରରେ ଜଣସାଧାରଣଙ୍କର ଭାଗୀଦାରିତା ବଢାଇବା ଦିଗରେଏହା କାମ କରିଥାଏ  । ଗାଁ କଲ୍ୟାଣ ସମିତିକୁ ବାର୍ଷିକ ପ୍ରାୟ ୧୦,୦୦୦ ଟଙ୍କାର ଖୋଲାପାଣ୍ଠି ମିଳିଥାଏ ମାତ୍ର କ୍ରମାଗତ ଭାବେ ଶିଶୁ ମୃତୁ୍ୟଘଟୁଥିଲେ ବି ଏ ସମିତି ବିଶେଷଭାବରେ କାମରେ ଲାଗିପାରିନଥିଲା ।ଅପପୁଷ୍ଟିକୁ ରୋକିବାରେ ବିଫଳ ହୋଇଥିବାରୁ ଏହି ସମିତିର କାମ କଣ ଏବଂ ସାରା ରାଜ୍ୟରେ ଏହା କିପରି କାମ କରୁଛି ସେ ବିଷୟରେ ତର୍ଜମା କରାଯିବା ଆବଶ୍ୟକ ନୁହେଁ କି?
୭. ନଗଡାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଏବେ ସେଠାକୁ ରାଜନେତାଙ୍କର ଭିଡ ଛୁଟୁଛି । ଆଗକୁ ଜିଲାସ୍ତରରୁ ଦୈନିକ ଜଣେ ଏବଂ ରାଜ୍ୟ ସ୍ତରରୁ ସାପ୍ତାହିକ ଭାବେ ଜଣେ ଅଫିସର ନଗଡା ଯାଇ ସରକାରଙ୍କର ପ୍ରଶାସନିକ କାର୍ଯ୍ୟକ୍ରମକୁ ତଦାରଖ କରିବାର ଦାୟିତ୍ୱ ନେଇଛନ୍ତି । ନିୟମିତ ନହେଲେ ମଧ୍ୟ ନିୟମିତ ବ୍ୟବଧାନରେ କେହିଜଣେ ନଗଡାକୁ ଯାଇଥିଲେ ଏ ପରିସ୍ଥିତି ଉପୁଜି ନଥାନ୍ତା । ରୋଗକୁ ମୂଳରୁ ନମାରି ଏହାକୁ ବଢାଇଦେବାରେ ଅନେକ ସମୟରେ ଆମେ ଗୌରବାନ୍ୱିତ ମନେ କରୁ ପୁଣି ସେଇ ରୋଗକୁ ଭଲ କରିବାକୁ ଯାଇ ଆମେ ଆମର ଜୀବନ ଯାକର ସଂବଳ ଏବଂ ସଂଚୟ ବ୍ୟୟ କରୁ? ବିଳମ୍ବରେ ହିଁ କାର୍ଯ୍ୟ ଆରମ୍ଭ କରିବା ଏବଂ ଅଶ୍ୱସ୍ତିବୋଧ କରି ଅଧାପନ୍ତରିଆ କାମ କରିବା କଣ ଆମ ଜାତୀୟ ଚରିତ୍ରର ଅଂଶ ହୋଇଯାଉଛି କି? ଅନ୍ତତଃ ନଗଡା ଘଟଣା ଏହାହି ପ୍ରମାଣ କରୁନାହିଁ କି?
୮. ନଗଡା ଘଟଣା ପରେ ହୋଇଥିବା ବୟାନବାଜିକୁ ନେଇ ମନରେ କ୍ଷୋଭଜାତ ହେବା ସ୍ୱଭାବିକ । ନଗଡା ଘଟଣା ପରେ କେହି ଦୋଷମୁଣ୍ଡାଇବାକୁ ରାଜିନାହାନ୍ତି । କେତେବେଳେ ପରମ୍ପରାକୁ ଦ୍ବାହି ଦେଇ ତ କେତେବେଳେ ଭୌଗଳିକ ଅବସ୍ଥିତିକୁ ଦୋଷ ଦେଇ ଅପପୁଷ୍ଟିଜନିତ ମୁତ୍ୟୁକୁ ସ୍ବୀକାର କରାଯାଇଛି । ଆଉ କେହି କେହି ତ ପାଦେ ଆଗେଇ ଯାଇ ଏଥିପାଇଁ ଆଦିବାସୀମାନେ ନିଜେ ଦାୟୀ କାରଣ ସେମାନେ ସଚେତନ ନୁହଁନ୍ତି ବୋଲି ମତ ଦେଇଛନ୍ତି । ସରକାରୀ ବ୍ୟବସ୍ଥାରେ ଆମେ କର୍ମଠ, ଆମେ ପରିଶ୍ରମ କରୁଛୁ ମାତ୍ର ବ୍ୟବସ୍ଥାରେ ପରିବର୍ତ୍ତନ ନହେଲେ ସେଥିପାଇଁ ଆମେ ଦାୟୀନୁହେଁ ର ମାନସିକତାକୁ ସମସ୍ତେ ସହଜରେ ଗ୍ରହଣ କରି ନେଇଛନ୍ତି । ଗୋଟିଏ ଭୁଲ ପାଇଁ ଜଣେ ନିଜେ ଯେତିକି ଦାୟୀ ତାର ପରିବାର, ଗୋଷ୍ଠୀ, ସମାଜ ଏବଂ ଅନୁଷ୍ଠାନ ମଧ୍ୟ ସେତିକି ଦାୟୀ । ଏ କଥା ଆମେ ଜାଣିଥିଲେ ସୁଦ୍ଧା ନିଜେ ନିଜର ଭୁଲ ମାନିବା ପାଇଁ ପ୍ରସ୍ତୁତ ନୁହଁନ୍ତି।ଦୋଷ ସ୍ବୀକାର କଲେ ଯେ ସମସ୍ୟାର ସମାଧାନର ବାଟ ଫିଟିବା ଆରମ୍ଭ ଏକଥା ଆମେ କେବେ ବୁଝିବା । ନଗଡାର ଏଦଶା ପାଇଁ କାହିଁକି କୌଣସି ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ନିଜକୁ ଦାୟୀ କଲେ ନାହିଁ ବା ଦୋଷ ନିଜ ମୁଣ୍ଡ ଉପରକୁ ନେଲେ ନାହିଁ ?
୯. ନଗଡା ଆମର ବିଧି ବ୍ୟବସ୍ଥା ର ବିଫଳତାର ଏକ ଆଦର୍ଶ ଉଦାହରଣ ନୁହେଁ କି? ସରକାରୀ କାଗଜପତ୍ରରେ ବିକାଶକୁ ଯେପରି ଯେଉଁ ବିଶାଳ ବପୁବନ୍ତ ପୁରୁଷରୁପେ ଦେଖାଯାଇଥାଏ ସେସବୁର ନଗଡା ପର୍ଦ୍ଧଫାଶ କରେ ନାହିଁ କି? ବିକାଶର ଯେଉଁ ବିଜ୍ଞାପନ ଖବର କାଗଜରେ ଦିଆଯାଉଛି ତାହା ନଗଡା ପରି ଲୋକଙ୍କ ପାଇଁ ଉପହାସ ନୁହେଁ କି? ଶେଷ ଲୋକଟି ପାଖରେ ବିକାଶର ସୁର୍ଯ୍ୟୋଦୟ ନପହାଂଚିଲା ଯାଏ ଆମେ ବିଜ୍ଞାପନ ଯୁଦ୍ଧରୁ ବିରତି ରହି ନରିଳସ ଦେଶଗଠନର ସେବାରେ ବ୍ରତୀ ହେବା କଥା ନୁହେଁ କି? ସରକାର ସେବା କରି ନିଜର ଧର୍ମ ପାଳନ କରିବା କଥା ନୁହେଁ କି? ବିଜ୍ଞାପନ ଦେଇ କାହାର କି ଆତ୍ମ ସଂନ୍ତୋଷ ଲାଭ ହୁଏ ।
ହୁଏତ ଏ ସବୁ ପ୍ରଶ୍ନର ଉତ୍ତର ସାଙ୍ଗେ ସାଙ୍ଗେ ମିଳିବା ସଂଭବ ନୁହେଁ ତଥାପି ଏଥିପାଇଁ ପ୍ରଚେଷ୍ଟା କରାଯିବା ଉଚିତ ନୁହେଁ କି? ହୁଏତ ଏ ପ୍ରଶ୍ନର ଉତ୍ତରରେ ହିଁ ଆଉଥରେ ନଗଡା ର ପୁନରାବୃ୍ତ୍ତି ନହେବାର ନିଶ୍ଚୟତା ଲୁଚି ରହିଛି। ହୁଏତ ଧର୍ମକୁ ଆଖିଠାରମାରିଏ ପ୍ରଶ୍ନର ଉତ୍ତର ନଖୋଜିଲେ ଆମେ ନଗଡା ପରି ଅବସ୍ଥା ଆଉ କେଉଁ ସ୍ଥାନରେ ଦେଖିବାକୁ ପାଇବା ।
ରୁଦ୍ର ପ୍ରସନ୍ନ ରଥ

ଧବଳଗିିରି,ଯାଜପୁର ରୋଡ

Previous
Next Post »