ଓଡିଶାରେ ଓଡିଆ ଭାଷା ଆଇନ!

ଭାଷା ଓ ସାହିତ୍ୟ ଉଭୟ ଭିନ୍ନଭିନ୍ନ । ଆମ ନୃତ୍ୟର ଯାଦୁ, ସଙ୍ଗୀତର ମନ୍ତ୍ରମୁଗ୍ଧ ସମ୍ମୋହନ, ଚିତ୍ରକଳାର ବିମୁଗ୍ଧ ଚମତ୍କାରିତା ସବୁରି ମୂଳରେ ଥାଏ ଭାଷା । ଭାଷା ହେଉଛି ଗୋଟିଏ ଜାତିର ପ୍ରାଣସ୍ପନ୍ଦନ, ଜୀବନଚର୍ଯ୍ୟା ଓ ସମାଜଚର୍ଯ୍ୟାର ସାମଗ୍ରିକ ସ୍ବର ଓ ସ୍ବାକ୍ଷର । ସାହିତ୍ୟ ଭାଷାର ବୌଦ୍ଧିକ ବିଭବ ମାତ୍ର । ଏହି ବୌଦ୍ଧିକ ବିଭବଟି ବୌଦ୍ଧିକ ବିଳାସର ସୌଖୀନ ବିଚାର ବିମର୍ଶ ନା ସାମାଜିକ ଓ ସାମଗ୍ରିକ ପ୍ରତିବଦ୍ଧତାର ସ୍ବର ହେବ ତା’ରି ଉପରେ ନିର୍ଭର କରେ ପ୍ରତ୍ୟେକ ଜାତି ଓ ଭାଷାର ଭାଗ୍ୟ ଭବିଷ୍ୟତ । ଭାଷା, ସଂସ୍କୃତି ଓ ସାମାଜିକ ଆନ୍ଦୋଳନ ଆଧାରରେ ଆମ ରାଜ୍ୟ ୮୦ ବର୍ଷ ପୂର୍ବେ ସମଗ୍ର ଭାରତର ସର୍ବପ୍ରଥମ ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ପାଇଲା ଓ ସଂପ୍ରତି ମହାଭାରତୀୟ ମର୍ଯ୍ୟାଦାର ଶାସ୍ତ୍ରୀୟ ଓଡିଆ ଭାଷାର ମାନ୍ୟତା ପ୍ରାପ୍ତି ସତ୍ତ୍ବେ ଆମ ଭିତରେ ଭାଷାକୁ ନେଇ ଯେଉଁ ସ୍ପର୍ଦ୍ଧା ଓ ସ୍ବାଭିମାନ ସୃଷ୍ଟି ହେବା କଥା ତାର ସାମାନ୍ୟତମ ଉଦ୍ବେଳନ ନାହିଁ । ଓଡିଶା ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନର ଆଠଦଶନ୍ଧି, ସ୍ବାଧୀନୋତ୍ତୋର ସାତ ଦଶନ୍ଧି, ଓଡିଆ ସରକାରି ଭାଷା ଅଧିନିୟମ ୧୯୫୪ ପ୍ରଣୟନ ହେବାର ଛଅ ଦଶନ୍ଧିରୁ ଉର୍ଦ୍ଧ୍ବକାଳ ପରେ ମଧ୍ୟ ସ୍ପର୍ଦ୍ଧିତ ଓ ସ୍ବାଭିମାନୀ ଓଡିଆମାନେ ନିର୍ବେଦ, ନିର୍ବାକ, ନିସ୍ପନ୍ଦ ଓ ନିଷ୍ପ୍ରାଣ ହେବାର ଅଭିପ୍ରାୟ କଣ ତାହା ସହଜରେ ଅନୁମାନ କରିହୁଏ ନାହିଁ । ଯେଉଁ ଭାଷା ସାହିତ୍ୟ ଓଡିଆ ଜାତିର ଅସ୍ମିତାର ପରିଚୟ, ତାର ସୀମା, ସ୍ବାତନ୍ତ୍ର୍ୟ ଓ ସାର୍ବଭୌମତ୍ବ୍ର ଆଧାରଶୀଳା ସେହି ଭାଷାସାହିତ୍ୟର ଉତ୍ତରସୂରୀମାନେ ସାମ୍ପ୍ରତିକ ସମୟର ସାମଗ୍ରିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ଏତେ କୁଣ୍ଠିତ ଏତେ କୃପଣ କାହିଁକି? ବୟସର ବୋଧଶକ୍ତି ବର୍ଷିୟାନ ବିଚାରବତ୍ତା, ତାରୁଣ୍ୟର ତୁର୍ଯ୍ୟନାଦ କୈଶୋରର କ୍ରାନ୍ତି ଓ ଶୈଶବର ସ୍ବପ୍ନ ସବୁଠି ଏବେ ଭାଷା କ୍ରମଶଃ ମରି ହଜି ଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ଓଡିଶାର ଭାଷା ଆଇନ ଷୋଡଶୀ ତରୁଣୀ ନୁହେଁ, ବରଂ ବାଷଠୀ ବର୍ଷର ବର୍ଷୀୟସୀ ଧର୍ଷିତା ରମଣୀ; ଯାହାକୁ ସରକାର ପରେ ସରକାର ଓ ମୁଖ୍ୟମନ୍ତ୍ରୀ ପରେ ମୁଖ୍ୟମନ୍ତ୍ରୀ କ୍ରମାଗତ ଅତ୍ୟାଚାର ଜାରି ରଖିଛନ୍ତି । ଫଳରେ ଓଡିଆଭାଷା ଜନନୀ ଲଜ୍ଜ୍ୟା, ସଂକୋଚ ଓ ଅନୁଶୋଚନାରେ ଅନ୍ଧକାର ତ୍ରିଭୁଜ ଭିତରେ ଆତ୍ମଗୋପନ କରିଛି । ଯେଉଁ ତ୍ରିଭୂଜର ଭୂମି ହେଉଛି ଘୂଣଖିଆ ଶାସନ ଏବଂ ଉଭୟ ବଳିଷ୍ଠ ବାହୁ ଦ୍ବୟ ଯଥାକ୍ରମେ ଅସହାୟ ଜ୍ଞାନ ଓ ଅପର୍ଯ୍ୟାୟ ବିକାଶ । ପ୍ରାୟ ସାତ ଦଶନ୍ଧିର ସରକାର ଓଡିଆ ଭାଷାକୁ ଶାସନର  ଭାଷାରେ ପରିଣତ କରିବାରେ ବ୍ୟର୍ଥ ହୋଇଛି ସତ, ହେଲେ ଓଡିଆ ଭାଷା ଅଦ୍ୟାବଧି ଜ୍ଞାନ ଓ ବିକାଶର ଭାଷା ହେଇ ନ ପାରିବା ମୂଳରେ ସରକାର ନୁହେଁ ଆମର ସୃଜନଶୀଳ ସ୍ରଷ୍ଟା, ବୁଦ୍ଧିଜୀବୀ ଓ ନିର୍ଲିପ୍ତ ସର୍ବସାଧାରଣ ଦାୟୀ । ଏତେ କାଳ ପରେ ମଧ୍ୟ ଓଡିଆ ଭାଷା ଓଡିଶାରେ ଜ୍ଞାନ ଓ ବିକାଶର ଭାଷାରେ ପରିଣତ ହେଇପାରି ନାହିଁ ଏହାଠୁ ବଳି ଦୁଃଖ ଓ ଦୁର୍ଭାଗ୍ୟର ଘଟଣା କ’ଣ ଥାଇପାରେ । ସାହିତ୍ୟ କହିଲେ ଆମେ କେବଳ ସୃଜନଶୀଳ ସାହିତ୍ୟ ଯଥା ଗଳ୍ପ, ଉପନ୍ୟାସ, ନାଟକ ଓ କବିତା ଆଦିକୁ ହିଁ ବୁଝୁ । ଯାହା ଦ୍ବାରା ସାହିତ୍ୟର ବୃହତ୍ତର ବିଭବଟି ଆମ ହାତ ପାହାନ୍ତାରେ ନାହିଁ । ଓଡିଆଭାଷାରେ ପର୍ଯ୍ୟାପ୍ତ ଭାବେ ଇତିହାସ, ଅର୍ଥନୀତି, ଦର୍ଶନ, ପ୍ରଯୁକ୍ତି ବିଦ୍ୟା, ଚିକିତ୍ସା ବିଜ୍ଞାନ ସର୍ବୋପରି ପ୍ରାୟୋଗିକ ବିଜ୍ଞାନର ସମୃଦ୍ଧ ସାହିତ୍ୟ ନାହିଁ ଯାହାଫଳରେ ଓଡିଆ ଜ୍ଞାନ ଓ ବିଜ୍ଞାନର ଭାଷାରୁ ବଞ୍ଚିତ ହୋଇ ରହିଛି । ଭାଷାକୁ ବିକାଶ ଓ ଜ୍ଞାନର ଭାଷାରେ ପରିଣତ କରିବାପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଲୋଡା । ଆମ ଶାସନ ପ୍ରଶାସନ କେବଳ ନୁହଁ, ଆମ ଚାଲିଚଳଣି, ସଂସ୍କୃତି, ସଭ୍ୟତା ସବୁଠି ଏବେ ଭାଷାର ଅପପ୍ରୟୋଗ ଢେର ବେଶି । କହି ଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ଘରକୁ ନ୍ୟାୟରେ ଆମେ ସବୁବେଳେ ଅନ୍ୟ ଉପରକୁ କାଦୁଅ ଫିଙ୍ଗି ଆମୋଦିତ ହେଉ, ଅଥଚ ଆମ ନିଜ ଭିତରର ଜମାଟ ବନ୍ଧା ଅଳନ୍ଧୁ ସମ୍ପର୍କରେ ଆମର ସାମାନ୍ୟତମ ଅବଗତି ନ ଥାଏ । ଆମର ବିବାହ, ବ୍ରତ, ପର୍ବପର୍ବାଣୀ ଭୋଜିଭାତପାଇଁ ଆମେ ନିମନ୍ତ୍ରଣପତ୍ର ଇଂରାଜୀରେ ଛାପୁ; କେବଳ ଭାଷାକୁ ଶୁଦ୍ଧିକ୍ରିୟାରେ ନିୟୋଜିତ କରି ଗଙ୍ଗା ନିମନ୍ତ୍ରଣ ପତ୍ର ଛାପିବା ବ୍ୟତୀତ ଓଡିଆଭାଷାକୁ ଆମ ସାଂସ୍କୃତିକ, ସାମାଜିକ ଓ ପ୍ରାତ୍ୟହୈକ ଜୀବନରେ ପ୍ରୟୋଗ କରିବାରେ ଆମର ପ୍ରତିନିୟତ କୁଣ୍ଠା କାର୍ପଣ୍ୟ ଜାରିଥାଏ । ବିଦ୍ୟାଳୟ କଥା ଛାଡନ୍ତୁ ଘର ଭିତରେ ଆମେ ଓ ଆମ ପିଲାମାନେ ହିନ୍ଦୀ ଓ ଇଂରାଜୀରେ କଥାବର୍ତ୍ତା ହେବା ଆମପାଇଁ ସଭ୍ୟସମାଜର ପରିଚୟ । ଆମର ପ୍ରତ୍ୟେକଟି ପ୍ରଥା, ପରମ୍ପରା ଓ ପର୍ବପର୍ବାଣୀ ଯେତିକି ସାମାଜିକ ଓ ସାଂସ୍କୃତିକ ଗୁରୁତ୍ବ ବହନ କରେ, ତା’ଠୁ ବେଶି ବିଜ୍ଞାନ ସମ୍ମତ ବିଚାରଧାରା ଉପରେ ପର୍ଯ୍ୟବସିତ ଏଇ କଥାଟିକୁ ଆମେ ଉତ୍ତରପିଢି ପାଖରେ ଉପସ୍ଥାପନ କରିବାରେ ଆମେ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇ ସାରିଛୁ । ଯାହାଫଳରେ ଆମ ସମାଜ ବ୍ୟବସ୍ଥା ନଇଁ ଯାଉଛି ନହକି ଯାଉଛି ଭାଙ୍ଗି ପଡୁଛି କ୍ରମଶଃ ।
 ରାଜ୍ୟରେ କାୟା ବିସ୍ତାର କରିଥିବା ଗଣମାଧ୍ୟମ ପ୍ରତିମୁହୁର୍ତ୍ତରେ ଓଡିଆଭାଷାକୁ ବିକୃତ ଓ ବିକଳାଙ୍ଗ କରି ଚାଲିଛନ୍ତି । ବୈଦୁତିକ ଗଣମାଧ୍ୟମର ଉପସ୍ଥାପକମାନେ ହିନ୍ଦୀ ଇଂରାଜୀ ଓଡିଆ ମିଶା ହିଙ୍ଗୋ୍ରଡିଆ ଶବ୍ଦର ପ୍ରଚାର ପ୍ରସାରରେ ବ୍ୟସ୍ତ । ଆମର ମୁଦ୍ରିତ ଗଣମାଧ୍ୟମମାନେ ମଧ୍ୟ ଅଳ୍ପେବହୁତେ ସମ୍ପୃକ୍ତ ଅଭିଯୋଗରୁ ମୁକ୍ତ ନୁହଁନ୍ତି । ଆମେ ରୁଚିରେ, ଆଚରଣରେ, ଉଚ୍ଚାରଣରେ, ବୃତ୍ତି ଓ ପ୍ରବୃତ୍ତି ଉଭୟରେ ଓଡିଆ ଭାଷା କ୍ରମଶଃ ମରି ହଜି ଯାଉଛି । ସାମରିକ ପରାଧୀନତା, ଭୌଗୋଳିକ ପରାଧୀନତା, ଆର୍ଥନୈତିକ ପରାଧୀନତା, ଯେକୌଣସି ଦେଶ ଓ ଜାତିପାଇଁ ସବା ଶେଷ ବିପର୍ଯ୍ୟୟ ନୁହଁ । ଶେଷ କଥା ହେଉଛି ଭାଷା ଓ ସଂସ୍କୃତି । ଯଦି କୌଣସି ଜାତିର ଭାଷା ଓ ସଂସ୍କୃତିର ପରାଧୀନତା ଘଟେ, ତାହାଲେ ସେ ଜାତିର ନିସ୍ତାର ନାହିଁ  । ଭାଷାଆଇନ ପ୍ରଣୟନ ହେବାର ଛଅ ଦଶନ୍ଧି ପରେ ମଧ୍ୟ ଆବଶ୍ୟକୀୟ ନିୟମାବଳୀ ଓ ଭାଷାନୀତି ଅଧ୍ୟାବଧି ପ୍ରସ୍ତୁତ ହେଇପାରି ନ ଥିଲା, ଯେଉଁଥିପାଇଁ ପ୍ରାୟ ଦଶମାସ ତଳେ ଓଡିଆଭାଷା ସଂଗ୍ରାମ ସମିତି ସରକାରଙ୍କୁ ଚରମପତ୍ର ଦେବା ସହିତ ରାଜଧାନୀର ରାଜରାସ୍ତାରେ ଆମରଣ ଅନଶନ ଜାରି ରଖିଥିଲା । ଓଡିଶା ସରକାର ଓ ଓଡିଆଭାଷା ସଂଗ୍ରାମ ସମିତି ମଧ୍ୟରେ ସମ୍ପାଦିତ ଚୁକ୍ତି ଅନୁଯାୟୀ ଭାଷା କାର୍ଯ୍ୟାନ୍ବୟନ ନିମନ୍ତେ ଗଠିତ ମନ୍ତ୍ରୀସ୍ତରିୟ କମିଟିର ପର୍ଯ୍ୟାୟକ୍ରମେ ବିଭିନ୍ନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାପାଇଁ ସରକାର ଘୋଷଣା ଜାରି ରଖିଥିଲେ ମଧ୍ୟ ବାସ୍ତବରେ ଏହା କାର୍ଯ୍ୟକ୍ରମରେ ପ୍ରତିଫଳିତ ହେବାରେ ଅମଲାତାନ୍ତ୍ରିକ କ୍ରିୟାଶୀଳତା ସଂପୂର୍ଣ୍ଣ ଭାବରେ ପରିପ୍ରକଟ ହୋଇନାହିଁ । ବିଶେଷ କରି ପ୍ରସ୍ତାବିତ ନିୟମାବଳୀ ଓ ଭାଷାନୀତି ସରକାରଙ୍କ ଚୂଡାନ୍ତ ଅନୁମୋଦନ ଲାଭ କରିଥିବାବେଳେ ବିଧେୟକ ସଭାର ଅନୁପସ୍ଥିତିରେ ଏହା ଅଧ୍ୟାଦେଶ ବଳରେ  ଆଇନରେ ପରିଣତ ହେବାକୁ ଯାଉଛି, ଯାହା ଆଗାମୀ ଛଅମାସ ମଧ୍ୟରେ ଦଳମତ ବିଚାରଧାରାର ଉର୍ଦ୍ଧ୍ବ୍ର୍ରେ ବିଧେୟକ ସଭାର ଅନୁମୋଦନ ଲାଭ କରିବାରେ କୌଣସି ଅନିଶ୍ଚିତତା ନାହିଁ । ଏଥିପାଇଁ ରାଜ୍ୟ ସରକାର ଧନ୍ୟବାଦର ପାତ୍ର । ଓଡିଆଭାଷାର ଶାସ୍ତ୍ରୀୟମାନ୍ୟତା ପରବର୍ତ୍ତୀ ସମୟରେ ଓଡିଆଭାଷାକୁ ସରକାରି ଭାଷା ଭାବରେ ଗ୍ରହଣ କରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ମୁକୁଟରେ ମୟୂରଚନ୍ଦ୍ରିକା ଯୋଡି ହୋଇଯିବ ଏବଂ ନବୀନ ବିରୋଧୀ ନେତା ଓ ଦଳ ଉଭୟ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶରେ ଭାଷାଜନିତ ଶାଣିତ ଓ ଶକ୍ତିଶାଳୀ ମାରଣାସ୍ତ୍ରଟିକୁ ହାତଛଡା କରିବାପାଇଁ ବାଧ୍ୟ ହେବେ ।
ଓଡିଆ ଭାଷା ସଂଗ୍ରାମ ସମିତି ସରକାରଙ୍କର ଛଅ ଦଶନ୍ଧିର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବାରେ ସମର୍ଥ ହୋଇଥିଲାବେଳେ ରାଜ୍ୟ ସରକାର ଖୁବ ସତର୍କତାର ସହିତ ଭାଷା ଆଇନ କାର୍ଯ୍ୟକାରୀ କରିବାପାଇଁ ଆବଶ୍ୟକୀୟ ପନ୍ଥାମାନ ଅବଲମ୍ବନ କରୁଛନ୍ତି । ଚଳିତ ରାଜ୍ୟ ବଜେଟରେ ପ୍ରଥମଥରପାଇଁ ଭାଷା ସମ୍ପର୍କିତ ବ୍ୟୟ ବରାଦ ଭାଷା ଓ ସଂସ୍କୃତିପାଇଁ ଏକ ଶୁଭ ଲକ୍ଷଣ । ଚଳିତ ବର୍ଷର ବ୍ୟୟ ବରାଦ ସମୁଦ୍ରକୁ ଶଙ୍ଖେ ପ୍ରାୟେ ହୋଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ଏଥିପ୍ରତି ଆବଶ୍ୟକୀୟ ଦୃଷ୍ଟି ପ୍ରଦାନ କରିବେ ବୋଲି ଆଶା କରିବୁ ନିଶ୍ଚୟ । ପ୍ରାୟ ଦଶ ମାସ ତଳେ ଓଡିଆ ଭାଷା ସଂଗ୍ରାମ ସମିତିର କ୍ରିୟାଶୀଳ ଓ ଶକ୍ତିଶାଳୀ ଆନ୍ଦୋଳନ ଫଳରେ ସରକାର ଭାଷା କାର୍ଯ୍ୟାନ୍ବୟନ ନିମନ୍ତେ ୫ ଜଣ ମନ୍ତ୍ରୀ ଓ ସାତ ଜଣ ଭାଷା ସଂଗ୍ରାମୀ ଓ ପ୍ରମୁଖ ଶାସନ ସଚିବମାନଙ୍କୁ ନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ଏହାର ପରାମର୍ଶ ଅନୁସାରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗତ ଅପ୍ରେଲ୨୫ତାରିଖରେ ଭାଷା ଆଇନ ପ୍ରଣୟନ ସମ୍ପର୍କୀତ ଚୂଡାନ୍ତ ବୈଠକରେ ରାଜ୍ୟ ସଂସ୍କୃତିମନ୍ତ୍ରୀଙ୍କୁ ଯୋଡା ଯାଇଥିବାବେଳେ ଅନ୍ୟ ଦୁଇଜଣ ବର୍ଜିତ ସଦସ୍ୟଙ୍କ ଅନୁପସ୍ଥିତରେ ମଧ୍ୟ ଆବଶ୍ୟକୀୟ ଭାଷାନୀତି ଓ ନିୟମାବଳୀ ପ୍ରଣୟନ ନିମନ୍ତନ୍ତେ କାର୍ଯ୍ୟକ୍ରମ ଚାଲୁରହିଛି । ଦୀର୍ଘ ଛଅ ଦଶନ୍ଧିର ଅଚଳ ଓ ଅକାମି ଆଇନ କାର୍ଯ୍ୟକାରୀପାଇଁ ଉଦ୍ୟମ ଆରମ୍ଭ ହେବା ସହିତ ଭାଷାନୀତି ଓ ଭାଷା ନିୟମାବଳୀ ପ୍ରଣୟନ ନିମନ୍ତେ କେବଳ ମନ୍ତ୍ରୀସ୍ତରୀୟ ସଭା ନୁହଁ, ସମଗ୍ର ଓଡିଶାର ଭାଷାନୁରାଗୀ ବ୍ୟକ୍ତିବିଶେଷମାନଙ୍କୁ ପ୍ରସ୍ତାବ ପ୍ରଦାନ ନିମନ୍ତେ ଅନୁରୋଧ କରାଯାଇଛି । ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଓଡିଶାର ଅର୍ଥନୈତିକ ଚିଠି ପ୍ରସ୍ତାବରେ ପ୍ରାୟ ୧୦ ହଜାର ପ୍ରସ୍ତାବ ହସ୍ତଗତ ହୋଇଥିଲାବେଳେ ଓଡିଶାର ଭାଷାନୀତି ଓ ତତ୍ସମ୍ପର୍କୀତ ନିୟମାବଳୀ ପ୍ରଣୟନପାଇଁ ଆଗତ ପ୍ରସ୍ତାବ ଦୁଇ ସଂଖ୍ୟା ବିଶିଷ୍ଟ ଅଙ୍କ ଟପି ପାରିନାହିଁ । ଓଡିଆ ଭାଷାକୁ ଶାସନ, ପ୍ରଶାସନ, ଜ୍ଞାନ ଓ ବିକାଶର ଭାଷାରେ ପରିଣତ କରିବାପାଇଁ ଓଡିଆ ଭାଷା ସଂଗ୍ରାମ ସମିତିର ସଂକଳ୍ପ ଓ ପ୍ରଚେଷ୍ଟା ପ୍ରତିନିୟତ ଜାରି ରହିଛି । ଭାଷା ଉକ୍ରର୍ଷ କେନ୍ଦ୍ରପାଇଁ ଶହେ କୋଟି ଟଙ୍କା ଓ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ନିର୍ମାଣ ନିମନ୍ତେ ପଚାଶ କୋଟି ଟଙ୍କାର ନିର୍ଦ୍ଧାରିତ କେନ୍ଦ୍ରୀୟ ଅନୁଦାନ ସହିତ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଇଚ୍ଛାଶକ୍ତି ବଳରେ ସମ୍ପ୍ରତି ଆଇଆଇଟି ଭୁବନେଶ୍ବର ପରିସର ଓ ପରବର୍ତ୍ତୀ ସମୟରେ ସ୍ଥାୟୀ ଭାବରେ ସତ୍ୟବାଦୀ ବନବିଦ୍ୟାଳୟ ସନ୍ନିକଟ ଆଞ୍ଚଳିକ ନଡିଆ ଗବେଷଣା କେନ୍ଦ୍ର ୧୨୫ ଏକର ପରିମିତ ଭୂମିରୁ  ଅନୁ୍ୟନ ୧୦୦ ଏକର ପରିମିତ ଜାଗାରେ ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବିଚାର ବିମର୍ଶ ଜାରି ରଖିଛନ୍ତି । ଓଡିଆକୁ ଶାସନ ପ୍ରଶାସନ ଜ୍ଞାନ ଓ ବିକାଶର ଭାଷାରେ ପରିଣତ କରି ଓଡିଆ ଯୁବକଙ୍କୁ ରୋଜଗାରକ୍ଷମ କରିବା ସହିତ ଶାସନ ଓ ପ୍ରଶାସନରେ ଓଡିଆ ଭାଷାର ପ୍ରୟୋଗାତ୍ମକ ମୂଲ୍ୟବୋଧକୁ ପ୍ରତିଷ୍ଠା କରି ସହଭାଗି ଶାସନ ଓ ସହଭାଗି ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାପାଇଁ ଓଡିଆ ଭାଷା ସଂଗ୍ରାମ ସମିତିର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା ଜାରି ରହିଛି । ବିଗତ ୧୦ମାସ ଭିତରେ ସମଗ୍ର ରାଜ୍ୟରେ ରାଜ୍ୟ ରାଜଧାନୀଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ ମହକୁମା ମାନଙ୍କରେ ପ୍ରତିନିୟତ କିଛି ନା କିଛି କାର୍ଯ୍ୟକ୍ରମ ଚାଲୁ ରହିଛି । ଯଦିଓ ଏହା ଆଶାନୁରୂପ ନୁହେଁ, ତଥାପି ଏହା ଯେ ଏକ ସାଂସ୍କୃତିକ ପୁନର୍ଜାଗରଣର ଶୁଭାରମ୍ଭ ପର୍ବ, ଏଥିରେ କୌଣସି ଦ୍ବିଧା ବା ଦ୍ବ୍ୟିରୁକ୍ତି ନାହିଁ । ଆଶା କରିବୁ ଅବିଳମ୍ବେ ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟିର ନିଷ୍ପତ୍ତିକୁ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ କାର୍ଯ୍ୟକ୍ରମରେ ରୂପାନ୍ତରିତ କରି ଓଡିଶାର ସାଢେ ଚାରିକୋଟି ଜନସାଧାରଣଙ୍କର ଶ୍ରଦ୍ଧା ଓ ଆସ୍ଥାଭାଜନ ହେବେ । ଅନ୍ୟଥା କ୍ରମବର୍ଦ୍ଧିଷ୍ଣୁ ଜନଅସନ୍ତୋଷ ଓ ଗଣଆନ୍ଦୋଳନ ପାଇଁ ସରକାର ଦାୟୀ ରହିବେ । ଭାଷା ଆନ୍ଦୋଳନ ଆଧାରରେ ଗଢି ଉଠିଥିବା ଓଡିଶା ଭଳି ଏକ ସ୍ବତନ୍ତ୍ର ରାଜ୍ୟରେ ଓଡିଆ ଭାଷାରେ ଓଡିଶା ଶାସନ ପ୍ରତିଷ୍ଠାର ବିଳମ୍ବିତ ଓ ବିଡମ୍ବିତ ନ୍ୟାୟକୁ ଏଡେଇ ଯିବାପାଇଁ ଉଭୟ ସରକାର ଓ ସାଧାରଣ ଜନତା ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଏକାନ୍ତ ଜରୁରୀ । ଆସନ୍ତୁ ଆମର ସମ୍ମିଳିତ ପ୍ରଚେଷ୍ଟାରେ ସରକାରୀ, ବେସରକାରୀ ଓ ବ୍ୟକ୍ତିଗତ ସ୍ତରରେ ଭାଷାର ପ୍ରୟୋଗାତ୍ମକ ମୂଲ୍ୟବୋଧ ସୃଷ୍ଟି କରି ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶର ସ୍ପର୍ଦ୍ଧା ଓ ସ୍ବାଭିମାନକୁ ଅତୁଟ ରଖିବା ।

ଶଙ୍କର୍ଷଣ ପରିଡା

ଇନ୍ଦ୍ରପ୍ରସ୍ଥ, ସର୍ବୋଦୟ ନଗର, ପୁରୀ-୨

Previous
Next Post »