ଓଡ଼ିଶାରେ ନେତୃତ୍ବ ସଂକଟ କସ୍ତୁରୀ ମୃଗ ଓ କଙ୍କଡ଼ା ଉପାଖ୍ୟାନ

ଦେବେନ୍ଦ୍ର ପୃଷ୍ଟି
୧୯୯୭ ମସିହାରେ ଅଟକି ଯାଇଛି ଓଡ଼ିଶା। ସେତେବେଳେ ଯେଉଁ ସଂକଟ ଥିଲା। ଆଜି ବି ସେଇଆ। ସେତେବେଳେ ନେତାମାନେ ଭାବୁଥିଲେ। ଏବେ ଜନତା ଏଇଆ ଭାବୁଛନ୍ତି। ଓଡ଼ିଶାରେ ନେତୃତ୍ବ ସଂକଟ। ବିକଳ୍ପ ନାହିଁ। ତେଣୁ ପ୍ରଚଳିତ ନେତୃତ୍ବ ହିଁ ସବୁରି ଆଶା ଓ ଭରସାର କେନ୍ଦ୍ରବିନ୍ଦୁ ହୋଇଯାଇଛନ୍ତି। ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ। ଟିନା ବା ଦେୟାର ଇଜ ନୋ ଅଲ୍ଟରନେଟିଭ। ତାଙ୍କ ବିନେ ଦଳ ଅନାଥ, ଦେଶ ଅନାଥ!

୧୯୯୭ ମସିହାର ଏପ୍ରିଲ ମାସରେ ନୂଆଦିଲ୍ଲୀରେ ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ହେବାବେଳେ ଏଇଭଳି ଏକ ଅନୁଭବ କରିଥିଲେ ତତ୍କାଳୀନ ଜନତା ଦଳର ଓଡ଼ିଶା ଶାଖା ନେତାମାନେ। ବାପ ଛେଉଣ୍ଡ ହେଲା ଭଳି ଶୂନ୍ୟତା ଆବୋରି ବସିଥିଲା। ସେତେବେଳେ ରାଜ୍ୟରେ କଂଗ୍ରେସର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଚାଲିଥାଏ। ତାଙ୍କର ଲୋକପ୍ରିୟତା ନଥିଲେ ବି ବିଚକ୍ଷଣତାକୁ ନେଇ ବିଚଳିତ ଥାଆନ୍ତି ଜନତା ପରିବାର। ବିଜୁ ବିହୁନେ ଜନତା ପରିବାରକୁ ଗିଳିଯାଇ ପାରନ୍ତି ଜାନକୀ।


ତା’ଛଡ଼ା ପରିବାରର ମୁରବୀ କିଏ ହେବ? କିଏ ସମ୍ଭାଳିବ ‘ଯେଝା ହାତରେ ଚଉଦ ପା’ ଓ ‘ଓଳିଆରୁ ପଡ଼ି ଗଜା’ ଅବବୋଧର ପ୍ରହେଳି ଭିତରେ ଥିବା ବିଜୁବାବୁଙ୍କ ଉତ୍ତର ପିଢ଼ିକୁ? ସେତେବେଳେ ଅଶୋକ ଦାସ ଜନତା ଦଳର ଓଡ଼ିଶା ଶାଖା ସଭାପତି। ବିଜୁବାବୁଙ୍କ ମନୋନୀତ। କିନ୍ତୁ ଥୋକେ ତାଙ୍କୁ ଗ୍ରହଣ କରିପାରୁ ନଥିଲେ। କହୁଥିଲେ, ଗୁଣ୍ଡାଟା ଭାଷାଅଭାଷା ଜାଣିନି। ରାଜ୍ୟବ୍ୟାପୀ ପତିଆରା ଓ ଗ୍ରହଣୀୟତା ନାହିଁ। ଡାକ୍ତର ଦାମୋଦର ରାଉତ ପରମ ବିଜୁଭକ୍ତ। ହେଲେ ତାଙ୍କର ବାକ୍‌ପଟୁତା ହିଁ ତାଙ୍କର ଅହଂକାର। କାହାକୁ କେତେବେଳେ କ’ଣ କହନ୍ତି ସେ ନିଜେ ବୁଝନ୍ତି ନାହିଁ। ଭାବନ୍ତି ସେ ଜାନକୀଙ୍କ ଭଳି ବିଦ୍ବାନ ଓ ବିଜୁଙ୍କ ପରି ସାହସୀ। ବାସ୍ତବରେ ଦି’ଟା ଯାକ ଗୁଣରେ ସେ ଅନେକ ଊଣା। ଦଳ ଭିତରେ ସେ ହେଲ କାଳୀ ଗାଈର ଭିନ୍ନେ ଗୋଠ। କାହାରି ସହିତ ପଡ଼େ ନାହିଁ।

ବିଜୟ-ନଳିନୀ-ଶ୍ରୀକାନ୍ତ ତ୍ରୟୀକୁ ସହ୍ୟ କରନ୍ତିନି ଅନ୍ୟମାନେ। ଶ୍ରୀକାନ୍ତ ଚକ୍ରାନ୍ତକାରୀ ଭାବେ ଜଣା। ବିଜୟଙ୍କର ମହତ୍ବାକାଙ୍‌କ୍ଷା ବା ଆମ୍ବିସନ କାହାକୁ ଅଛପା ନଥାଏ। ନଳିନୀ ନରମପନ୍ଥୀ ହେଲେ ବି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ନେତାଙ୍କଠାରୁ ଯଥେଷ୍ଟ ଦୂରିଆ। ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରଗଳ୍ଭତା, ଅନଙ୍ଗ ଉଦୟ ସିଂହେଦଓଙ୍କ ରାଜକୀୟ ଠାଣି, ଦିଲ୍ଲୀପ ରାୟଙ୍କ ବ୍ୟାବସାୟିକ ସ୍ବାର୍ଥ-କେହି କାହାରିକୁ ଗ୍ରହଣ କରିବାକୁ ନାରାଜ।

ଶେଷରେ ସେମାନେ ଅନ୍ତତଃ କିଛି କାଳ ପାଇଁ ଦଳକୁ ଏକଜୁଟ ରଖିବାକୁ ଏବଂ ବିଜୁମୃତ୍ୟୁର ଅନୁକମ୍ପା ଲହରରୁ ସାମନ୍ତବାଦୀ ରାଜନୀତିକ ଫାଇଦା ଉଠାଇବାକୁ ତାଙ୍କ ପରିବାର ନିକଟରେ ନେହୁରା ହେଲେ। ବିଜୁ ପରିବାରର କୌଣସି ସଦସ୍ୟ ସେତେବେଳେ ରାଜନୀତି ପ୍ରତି ଆଗ୍ରହୀ ନଥିଲେ। ବିଜୁବାବୁଙ୍କ ଜୀବିତାବସ୍ଥାରେ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ବ୍ୟତିତ ଦୁଇ ପୁଅ ପ୍ରେମ ଓ ନବୀନ କେହି ଓଡ଼ିଶା ଆସି ଜନତା ପରିବାରର କାହା ସହିତ ବସାଉଠା କରିବାର କୌଣସି ନଜୀର ନଥିଲା। ଝିଅ ଗୀତା ମେହେଟ୍ଟା ମଝିରେ ମଝିରେ ଆସୁଥିଲେ ବି ନବୀନ ନିବାସର ଏରୁଣ୍ଡି ବନ୍ଧ ବାହାରେ କେହି ତାଙ୍କୁ ଦେଖି ନଥିଲେ। ତେଣୁ ସେମାନେ ମନା କଲେ। ଶେଷରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦ୍ରକୁମାର ଗୁଜରାଲଙ୍କ ପାଖରେ ଅଧିଆ ପଡ଼ିଲେ ଶ୍ରୀକାନ୍ତ ଓଗେର ଅନେକ ନେତା। ଗୁଜରାଲ ବିଜୁବାବୁଙ୍କର ପୁରୁଣା ବନ୍ଧୁ। ଜ୍ଞାନ ପଟ୍ଟନାୟକଙ୍କର ମଧ୍ୟ ପଞ୍ଜାବ ଆଡ଼ୁ ନିକଟତର। ତାଙ୍କ ପରାମର୍ଶକ୍ରମେ ଓଡ଼ିଶାର ଅନାଥ ନେତାମାନଙ୍କ ‘ମୋହରା’ ହେବାକୁ ନବୀନ ପଟ୍ଟନାୟକଙ୍କୁ ରାଜି କରାଗଲା।

ବିଜୁବାବୁଙ୍କ ମୃତ୍ୟୁରେ ଖାଲି ପଡ଼ିଥିବା ଆସ୍କା ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନବୀନବାବୁ ଜନତା ଦଳର ପ୍ରାର୍ଥୀ ହେଲେ ଏବଂ ସମସ୍ତଙ୍କର ମିଳିତ ଉଦ୍ୟମରେ ଜିତିଲେ। ସମସ୍ତେ ଭାବିଥିଲେ ଓଡ଼ିଶାର ଭାଷା, ସଂସ୍କୃତି, ସମାଜ, ଅର୍ଥନୀତି ଓ ରାଜନୀତିରେ ଅଜ୍ଞ ନବୀନବାବୁ ସେମାନଙ୍କ ହାତରେ କ୍ରୀଡ଼ନକ ହେବେ। ତାଙ୍କୁ ମୋହରା କରି ସେମାନେ ନିଜନିଜ ରାଜନୀତିକ ଗୋଟି ଚଳାଇବେ। ସେଇଆ ହେଲା ବି।

୧୯୯୮ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀପ, ରାମକୃଷ୍ଣ, ଅନଙ୍ଗ ଓ ବିଜୟ ମିଶି ଜନତା ଦଳକୁ ଭାଙ୍ଗିଦେଲେ। ଗଠିତ ହେଲା ବିଜୁ ଜନତା ଦଳ। ବିଜୁବାବୁଙ୍କର ତଥାକଥିତ ଲିଗାସୀକୁ ରାଜନୀତିକ ପୁଂଜିରେ ପରିଣତ କରି ସେଥିରୁ ଆପଣାର ସ୍ବାର୍ଥ ହାସଲା କରିବା ଥିଲା ବିଜୁ ଜନତା ଦଳର ମୂଳ ନେତାମାନଙ୍କର ଗୋପନ ଉଦ୍ଦେଶ୍ୟ। ବିଜୁବାବୁ ଜୀବନରେ କେବେବି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ସହିତ ସାଲିସ କରିନଥିଲେ। ବାଜପେୟୀ ଓ ଆଡ଼ଭାନୀ ପ୍ରମୁଖ ତାଙ୍କର ଘନିଷ୍ଠ ବନ୍ଧୁ ଥିଲେ ବି ସେ ବିଜେଡିକୁ ଏକ ସାଂପ୍ରଦାୟିକ ଦଳ ଭାବେ ଗ୍ରହଣ କରୁଥିଲେ। କିନ୍ତୁ ବିଜୁ ଜନତା ଦଳ ନବୀନଙ୍କ ନେତୃତ୍ବରେ କେବଳ ରାଜନୀତିକ ସ୍ବାର୍ଥ ପାଇଁ ଏହି ବିଜେପି ସହିତ ବୁଝାମଣା କଲା ଓ ୧୯୯୮ ଲୋକସଭା ନିର୍ବାଚନରେ ଆସନ ବଣ୍ଟୁଆରା ହେଲା।

ତା’ପରର କଥା ଇତିହାସ।

ଇତିମଧ୍ୟରେ ବିତିଗଲାଣି ୧୮ଟି ମହତ୍ବପୂର୍ଣ୍ଣ ବର୍ଷ। ୧୯୯୮-୨୦୦୯ ଦୀର୍ଘ ୧୧ ବର୍ଷର ସହଭାଗିତା ପରେ ବିଜେପି ହାତଛାଡ଼ି ପୁଣି ଏକଲା ହୋଇଯାଇଛନ୍ତି ନବୀନ। ଦଳର ପ୍ରାଣ ପ୍ରତିଷ୍ଠାତାମାନଙ୍କୁ ଜଣକ ପରେ ଜଣେ ରାଜନୀତିକ ବିଲୁପ୍ତି ମୁହଁକୁ ଠେଲି ଦେଇଛନ୍ତି। ପ୍ରଥମେ ବଳି ପଡ଼ିଲେ ବିଜୟ ମହାପାତ୍ର, ୨୦୦୦ ମସିହା ନିର୍ବାଚନରେ ତାହା ଥିଲା ସବୁଠୁ ବଡ଼ ବ୍ରୁଟୁସୀୟ ଘଟଣା। ତା’ପରେ ନଳିନୀ ମହାନ୍ତି, କମଳା ଦାସ, ରାମକୃଷ୍ଟ ପଟ୍ଟନାୟକ, ଦିଲ୍ଲୀପ ରାୟ-ଯେଉଁମାନେ ନବୀନଙ୍କୁ ଓଡ଼ିଶା ରାଜନୀତିକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନେ ସମସ୍ତେ ତାଙ୍କର ସାତ ପର ହୋଇଗଲେ। ବିଜୁ ଜନତା ଦଳ ଗଢ଼ାଯିବା ପରେ ଦ୍ବିତୀୟ ଓ ତୃତୀୟ ଦଫାରେ ଯେଉଁମାନେ ଜନତା ଦଳ ଛାଡ଼ି ନବୀନଙ୍କୁ ବିଜୁବାବୁଙ୍କ ଦାୟାଦ ଭାବରେ ଗ୍ରହଣ କରିଥିଲେ ସେମାନେ ମଧ୍ୟ ସଫା ହୋଇଗଲେଣି। ପ୍ରଫୁଲ ଘଡ଼ାଇ ଦଳରୁ ବହିଷ୍କୃତ। ସୁରେନ୍ଦ୍ର ନାୟକ ଅଲୋଡ଼ା। ଦାମୋଦର ଦଳ ଓ ସରକାରରେ ନିଇତି ଅପାମନ ବରଦାସ୍ତ କରୁଛନ୍ତି। ଅନଙ୍ଗ ଉଦୟ ତ ସାଙ୍ଗ। ପ୍ୟାରୀଙ୍କୁ ଗୋଟିଏ ପ୍ରହାରରେ ଶେଷ କରିଦିଆଯାଇଛି। ତାଙ୍କ ପିଲାଙ୍କର ଆଉ ସାହସ ନାହିଁ ବିଦ୍ରୋହ କରିବେ।

ବିଜୁ ପଟ୍ଟନାୟକର ନୀତି ଓ ଆଦର୍ଶ ଉପରେ ପ୍ରତିଷ୍ଠିତ ବିଜୁ ଜନତା ଦଳର କୌଣସି ନେତାଙ୍କଠାରେ ଆଉ ବିଜୁବାବୁଙ୍କର ସାହସ ଓ ସ୍ବାଭିମାନର ଗୁଣସୂତ୍ର ଥିଲା ପରି ବୋଧ ହୁଏ ନାହିଁ। ସୂର୍ଯ୍ୟ ପାତ୍ରଙ୍କ ପାଇଁ ନବୀନବାବୁ ହେଲେ ମାଲିକ। ପ୍ରଦୀପ ମହାରାଥୀଙ୍କ ପାଇଁ ହେଡ ମାଷ୍ଟର। ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ସୁପ୍ରିମୋ। ଅନ୍ୟ ସମସ୍ତଙ୍କ ପାଇଁ ହର୍ତ୍ତାକର୍ତ୍ତା ଦଇବବିଧାତା ବା ଅଧୀଶ୍ବର। ଏବେ ସଭାପତି ନବୀନ ପଟ୍ଟନାୟକଙ୍କ ଛାଡ଼ିଦେଲେ ଦଳରେ ଅନ୍ୟ କେହି ରାଜନୀତିକ ନେତା ବା କର୍ମୀର ଗୁଣ ଓ ଚରିତ୍ର ବହନ କରୁ ନାହାନ୍ତି। ସମସ୍ତେ ଏବ ରାଜନୀତିକ ଶ୍ରମିକ। କର୍ମୀ ବଦଳରେ ଶ୍ରମିକ। ଦଳଟି ଶ୍ରମିକଙ୍କ ପାଇଁ ଟ୍ରେଡ଼ ୟୁନିଅନ। ମାଲିକଙ୍କ ପାଇଁ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ। ଉଭୟ କିନ୍ତୁ ଗୋଟିଏ ସୂତାରେ ଗୁନ୍ଥା- ସୂତାଟି ହେଲା ରାଜନୀତିକ ସ୍ବାର୍ଥ, ୱାର୍ଡ଼ ମେମ୍ବରରୁ ଆରମ୍ଭ କରି ବିଧାୟକ ଓ ସାଂସଦ ହେବାର ସ୍ବାର୍ଥ। ଏଇ ସ୍ବାର୍ଥର ଅଭିସନ୍ଧି ଭିତରେ ନୂଆ ନେତୃତ୍ବ ଉଧେଇବାର ବାଟ ବନ୍ଦ। ସେଥିପାଇଁ ସ୍ବଚ୍ଛତା, ସ୍ବାଧୀନତା ଓ ସ୍ବାଭିମାନ ପରି ମାଟିପାଣିପବନର ଆବଶ୍ୟକତା ରହିଛି। ଯାହା ଏବେ ବିଜେଡି ଭିତରେ ନାହିଁ। ଓଡ଼ିଶାର ସାମାଜିକ ଓ ଆର୍ଥନୀତିକ ସଂସ୍କୃତିରେ ଶ୍ରମିକମାନେ ମାଲିକ ହେବା ଅସମ୍ଭବର ଖୁବ ପାଖାପାଖି ବାସ୍ତବତା।

କେବଳ ଏଇ ଦଳଟିରେ ନୁହେଁ, କଂଗ୍ରେସ ଓ ବିଜେପିରେ ମଧ୍ୟ ଏବେ ଊଣାଅଧିକେ ଏଇ ଅବସ୍ଥା। ସେଠି ରାଜ୍ୟ ସ୍ତରରେ ମାଲିକ-ଶ୍ରମିକ ସଂପର୍କ ନଥିଲେ ବି କଙ୍କଡ଼ାଙ୍କ ପ୍ରାବଲ୍ୟ ଅଧିକ। ପ୍ରଦେଶ କଂଗ୍ରେସ ସଭାପତି ପଦ କେତେବେଳେ କାହାକୁ ମିଳୁଛି ଓ କେତେବେଳେ କାହାପାଖରୁ ଚାଲି ଯାଉଛି ସେଥିନେଇ କେହି ନିଶ୍ଚିତ ନୁହନ୍ତି। ଆଜି ଜୟଦେବ, କାଲି ନିରଂଜନ, ପୁଣି କାଲି ଜୟଦେବ-ଏମିତି ଚାଲିଛି ଚେୟାର ଖେଳ। ଏଇ ୧୮ ବର୍ଷ ଭିତରେ ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ବାଳ, ଜାନକୀ ବଲ୍ଲଭ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂହେଦଓ, ଜୟଦେବ ଜେନା, ନିରଂଜନ ପଟ୍ଟନାୟକ, ଭକ୍ତ ଚରଣ ଦାସ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରସାଦ ହରିଚନ୍ଦନ ପ୍ରମୁଖ ପ୍ରାୟ ୧୦ ଜଣଙ୍କ ନାମ ପାଖରେ ପ୍ରଦେଶ କଂଗ୍ରେସ ସଭାପତି ବା କାର୍ଯ୍ୟକାରୀ ସଭାପତି ଉପାଧି ଯୋଡ଼ି ହୋଇଗଲାଣି। ତଥାପି ଅଣ୍ଟା ସଳଖି ଠିଆ ହୋଇପାରୁନି କଂଗ୍ରେସ। କାରଣ ଯେତେବେଳେ ଯିଏ ଅଣ୍ଟା ଟେକି ଓ ମୁଣ୍ଡ ଉଠାଇ ନବୀନଙ୍କୁ ଚାଲେଞ୍ଜ ଦେବାକୁ ଆରମ୍ଭ କରୁଛି ସେତେବେଳେ ଦିଲ୍ଲୀ ଆଡ଼ୁ ପଡ଼ୁଛି ହାଇକମାଣ୍ଡାଙ୍କ ହାତୁଡ଼ି ମାଡ଼, ଦେଖିବାକୁ ମିଳୁଛି ନୂଆ ଜଣେ ସଭାପତି। ଆଉ ନୂଆ ନେତା ଦାୟିତ୍ବ ନେବାର ଅଳ୍ପ ଦିନ ଭିତରେ ପୁରୁଣାମାନେ ଲାଗି ଯାଉଛନ୍ତି ତାଙ୍କ କାମରେ, ନେତୃତ୍ବ ପରିବର୍ତ୍ତନର ଦାବି କଂଗ୍ରେସ ଭିତରେ ଏକ ପ୍ରବହମାନ ସ୍ରୋତ, ଏହା କେବେ ଶୁଖେ ନାହିଁ।

କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ହେଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ଦୋସ୍ତ, ଏବେ ନୁହେଁ, ୧୯୮୦ ଦଶକରୁ। କମଲନାଥ ହେଉଛନ୍ତି ବିଜୁ ପରିବାରର ଘନିଷ୍ଟ ବନ୍ଧୁ। ଗୁଲାମ ନବୀ ଆଜାଦ ନବୀନଙ୍କର ଅତ୍ୟନ୍ତ ଘନିଷ୍ଟ। ଶୁଣାଯାଏ ନବୀନ କାଳେ ମାସମାସ ଧରି ଘରେ ନରହି ଆଜାଦଙ୍କ ଘରେ ରହିଯାଆନ୍ତି। ରାଜୀବ ଓ ନବୀନ ଗୋଟିଏ ସ୍କୁଲର ଛାତ୍ର, ଡୁନ ସ୍କୁଲରେ ପଢ଼ୁଥିଲେ ଦିହେଁ। ପ୍ରେମ ପଟ୍ଟନାୟକଙ୍କ ମଧ୍ୟ ଅନେକ ପୁରୁଖା କଂଗ୍ରେସିଆଙ୍କ ସଂପର୍କ। ବ୍ୟବସାୟ ଓ ଅର୍ଥ କାରବାର ପାଇଁ ଦିଲ୍ଲୀରେ ପରିଚିତ ପ୍ରେମଙ୍କ କଥା ଭାଙ୍ଗି ପାରନ୍ତି ନାହିଁ ଅନେକ କଂଗ୍ରେସ ନେତା।

ଭାରତୀୟ ଜନତା ପାର୍ଟିରେ ବି ନବୀନ ଓ ପ୍ରେମଙ୍କର କିଛି କମ୍ କୀଟ ନାହାନ୍ତି। ସେମାନଙ୍କ ଜରିଆରେ ରାଜ୍ୟ ବିଜେପିକୁ ମଧ୍ୟ ଏକରକମ ଅଚଳ କରି ରଖିବାରେ ସମର୍ଥ ହୋଇଛନ୍ତି ନବୀନ। ୨୦୦୯ ପରେ ଏହି ଦଳ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ଏକ ପାର୍ଟିରେ ପରିଣତ ହୋଇଛି। ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ବସନ୍ତ ପଣ୍ଡା ପ୍ରମୁଖ ରାଜ୍ୟ ସଭାପତି ପଶ୍ଚିମ ଓଡ଼ିଶାର। ଲଗାତାର ଏଭଳି ସଭାପତିଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଉପକୂଳ ଓଡ଼ିଶାରେ ମୁଣ୍ଡ ଟେକି ପାରୁ ନାହିଁ ଭାରତୀୟ ଜନତା ପାର୍ଟି। ଉପକୂଳିଆ ବିଜୟ ମହାପାତ୍ର ଇତିମଧ୍ୟରେ ତିନି ଦଳ ଡେଇଁ ପଦ୍ମପୋଖରୀରେ ବୁଡ଼ ମାରିଥିଲେ ବି ତାଙ୍କ ଦେହରୁ ଆଇଁଷ ଗନ୍ଧ ଛାଡ଼ି ନାହିଁ ବୋଧେ ଯେଉଁଥିପାଁ ସଂଘ ପରିବାର ତାଙ୍କୁ ଭରସିପାରିନି। ୧୯୯୫ ନିର୍ବାଚନରେ ତାଙ୍କର ଭୂମିକା ବି ତାଙ୍କ ପାଇଁ ବାଟ ଓଗାଳୁଥାଇ ପାରେ।

ଦଳର ଦୁଇ ଜଣ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ। ଜଣେ ବରିଷ୍ଠ, ଆରକ କନିଷ୍ଠ। କିନ୍ତୁ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ସମୀକରଣରେ ବରିଷ୍ଠ ଜୁଆଲ ଓରାମ ଓଡ଼ିଶା ବିଜେପିରେ ଏବେ କୋଣଠେସା, କନିଷ୍ଠ ଧର୍ମେନ୍ଦ୍ର ନିଜକୁ ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଜବରଦସ୍ତ ଉପସ୍ଥାପନ କରିସାରିଛନ୍ତି। ଏଯାଏଁ ମୁଖ୍ୟତଃ ଆଦିବାସୀ ଅଂଚଳରେ ସଫଳତା ଅର୍ଜନ କରିଥିବା ବିଜେପିର ପୁରୁଖା ଆଦିବାସୀ ନେତାଙ୍କ ଅବସ୍ଥା ଏମିତି ଦେଖିଲା ପରେ ଏହି ଦଳକୁ ଆଉ କେତେ ଆଦିବାସୀ ଓ ଦଳିତ ଭୋଟ ମିଳିବ ତାହା କେବଳ ଆଶା ଓ କଳ୍ପନାର କଥା ହୋଇଯାଇଛି। ଏହି ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ମଧ୍ୟରୁ ଅରୁଣ ଜେଟଲି ଓ ବସୁନ୍ଧରା ରାଜେ ସିନ୍ଧିଆ କାଳେ ନବୀନ ଓ ପ୍ରେମଙ୍କର ପୁରୁଣା ପାଲ୍। ତେଣୁ ବିଜେପିରେ ମଧ୍ୟ ନବୀନଙ୍କ ବିକଳ୍ପକୁ ଗଜାରୁ ଗଛ ହେବାକୁ ଦିଆଯାଉ ନାହିଁ।

ଅତୀତରେ କଳିଙ୍ଗାମାନେ କେତେକ ସାହସୀ ଥିଲେ ତାହା ଇତିହାସରେ ରହିଯାଇଛି। ଆଧୁନିକ ଓଡ଼ିଆମାନେ କିନ୍ତୁ ନିହାତି ଡରୁଆ। ଦି’ଅସରା ବର୍ଷା ହେଲେ ଏମାନେ ବନ୍ୟା ବନ୍ୟା ବୋଲି ହୁରି ଛାଡ଼ନ୍ତି। ଟିକେ ଝଡ଼ତୋଫାନ ହେଲେ ମହାବାତ୍ୟାର ଭୂତ ଏମାନଙ୍କୁ ମାଡ଼ି ବସେ। ବର୍ଷବର୍ଷର ଦାରିଦ୍ର୍ୟ, ଗୋଲାମୀ ଓ ପାଣିପାଗର ଅନିଶ୍ଚିତତା ଏମାନଙ୍କୁ ଏମିତି କ୍ଷଣଭଙ୍ଗୁର କରି ଦେଇଛି ଯେ ଏମାନେ ପୁରୁଣାକୁ ଛାଡ଼ି ନୂଆର ସନ୍ଧାନ କରିବାକୁ ମସ୍ତବଡ଼ ରିସ୍କ ବୋଲି ଭାବନ୍ତି। କାଳେ ନୂଆ କିଏ ଆସିଲେ ଟଙ୍କିକିଆ ଚାଉଳ ମିଳିବ ନାହିଁ, ୫ ଟଙ୍କିଆ ଆହାର ବନ୍ଦ ହୋଇଯିବ, ବେଆଇନ ଠିକାକାମ ଓ ଠକିବାର ଲାଇସେନ୍ସ ରଦ୍ଦ ହେବ, ପତ୍ନୀ ଓ ସଂପର୍କୀୟଙ୍କୁ ସରପଂଚ କରି ହେବ ନାହିଁ-ଏମିତି ଅନେକ ଆଶାରେ ବାନ୍ଧି ହୋଇଯାଇଛି ଆଳସ୍ୟ ପ୍ରବଣ ଓଡ଼ିଆ ଜାତି।


ଏକ ବଶମ୍ବଦ ଅମଲାତନ୍ତ୍ର ଓ ଗୋଲାମକୃତ ରାଜନୀତିକ ବ୍ୟବସ୍ଥା ଭିତରେ କସ୍ତୁରୀ ମୃଗ ବି ଭାବୁଛି ଏ ବାସ୍ନା ମୋର ନୁହେଁ, ନବୀନର। ପ୍ୟାରୀ ସେତେବେଳେ ସବୁ କରୁଥିଲେ ବୋଲି ସମସ୍ତେ କହୁଥିଲେ। କିନ୍ତୁ ନିଜେ ପ୍ୟାରୀ ତାହା କହୁ ନଥିଲେ। ଯେତେବେଳେ ସେ ଜାହରି କରିବାକୁ ଆରମ୍ଭ କଲେ ଯେ ହଁ ମୁଁ ସବୁ କରୁଛି ଓ କରି ଚାଲିବି ସେତେବେଳେ ଏଇ କସ୍ତୁରୀ ମୃଗଟିକୁ ଝୁଣି ଖାଇଗଲେ ଅନେକ କଙ୍କଡ଼ା। ଓଡ଼ିଶା ରାଜନୀତିରେ ଏମିତି ଅନେକ କସ୍ତୁରୀ ମୃଗ ଅଛନ୍ତି। ଯୁବଛାତ୍ର ଗୋଷ୍ଠୀରେ ସର୍ବାଧିକ। କିନ୍ତୁ ସେମାନେ ନିଜେ ନିଜର ଗୁଣ ବିଷୟରେ ସନ୍ଦିହାନ। ଦାମ, ବିଜୟ, ଦିଲ୍ଲୀପ, ଧର୍ମେନ୍ଦ୍ର, ଭକ୍ତ-ଏମାନେ ସମସ୍ତେ କସ୍ତୁରୀ ମୃଗ, ପୁଣି କେବେ କଙ୍କଡ଼ା। କସ୍ତୁରୀ ଓ କଙ୍କଡ଼ାର ସ୍ବାଭାବିକ ପ୍ରକୃତି ଭିତରେ ଓଡ଼ିଶାରେ ଦୃଢ଼ୀଭୂତ ହୋଇଚାଲିଛି ସାମନ୍ତବାଦ ଓ ଦୁର୍ବଳ ହେଉଛି ଗଣତନ୍ତ୍ର। ବ୍ୟକ୍ତିବାଦ ବା ନାୟକପୂଜା ହୋଇଯାଇଛି ଓଡ଼ିଶା ଗଣତନ୍ତ୍ରର ସ୍ଥାୟୀ ସଂସ୍କୃତି। 

Oldest

1 comments:

Click here for comments
18 July 2016 at 10:46 ×

ଭଲ ସମୀକ୍ଷା ।

Congrats bro Nistha ranjan Dash you got PERTAMAX...! hehehehe...
Reply
avatar