(Photo: Official Website of Soumyaranjan Patnaik) |
ପୂର୍ବତନ କଂଗ୍ରେସ ସାଂସଦ ଓ ଆମ ଓଡିଶା ପାର୍ଟି ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟନାୟକଙ୍କ ସହ ଓଡିଶା ର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ପରିସ୍ଥିତି କୁ ନେଇ www.intellectsreview.com ର ପ୍ରଥମ ସଂସ୍କରଣ ପାଇଁ ଏକ ସ୍ଵତନ୍ତ୍ର ସାକ୍ଷାତକାର । ଓଡିଶା ର ସାଂପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟ ରେ ବିକଳ୍ପ ରାଜନୀତି ର ସମ୍ଭାବନା କେତେ? ସ୍କାମ ପରେ ସ୍କାମ ଓ ଏକ ସ୍ଥାଣୁ ବ୍ୟବସ୍ଥା ସତ୍ତ୍ୱେ ନବୀନ ପଟନାୟକ କାହିଁକି ନିରଙ୍କୁଶ ଭାବେ ୧୭ ବର୍ଷ ଧରି ସାଶନ ଗାଦିରେ? ବିରୋଧୀ ଦଳ କାହିଁକି ଅସଫଳ?
ଉତ୍ତର ରଖିଛନ୍ତି ଓଡିଶା ର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନକୁ ବର୍ଷ ବର୍ଷ ଧରି ପରଖିଥିବା ନେତା ସୌମ୍ୟରଞ୍ଜନ ପଟନାୟକ ।
ଉତ୍ତର ରଖିଛନ୍ତି ଓଡିଶା ର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନକୁ ବର୍ଷ ବର୍ଷ ଧରି ପରଖିଥିବା ନେତା ସୌମ୍ୟରଞ୍ଜନ ପଟନାୟକ ।
ଓଡିଶା ରେ ନବୀନ ପଟନାୟକଙ୍କର ବିକଳ୍ପ ନାହିଁ ସେଥିପାଇଁ ସେ ୧୭ ବର୍ଷ ଧରି ନିରଙ୍କୁଶ ସାଶନ କରି ଆସୁଛନ୍ତି - ବାସ୍ତବିକତା ନା ମିଥ ?
ବିକଳ୍ପ ଟି କେତେବେଳେ ବହୁତ ପୂର୍ବରୁ ଦୃଶ୍ୟମାନ ହୁଏ ନହିଁ । ନବୀନ ପଟନାୟକ ଙ୍କର ବିକଳ୍ପ କହିଲେ ଆପଣ କଣ ଭାବୁଛନ୍ତି – ନେତୃତ୍ଵ ର ବିକଳ୍ପ ନା ସାଶନ, ନୀତି ଓ ପ୍ରକ୍ରିୟା ର ବିକଳ୍ପ, କିନ୍ତୁ ଯେହେତୁ ସେ ୧୬ ବର୍ଷ ଧରି ସାଶନ କରୁଛନ୍ତି ଓ ଚାରିଥର ନିର୍ବାଚନ ଜିତିଛନ୍ତି, ତେଣୁ ନବୀନ ପଟନାୟକଙ୍କୁ ଏ ଶ୍ରେୟ ଦେବାକୁ ପଡିବ ଯେ ସେ ଓଡିଶା ର ଲୋକଙ୍କ ସମର୍ଥନ ପାଇବାର ଏକ କୌଶଳ ଜାଣିଛନ୍ତି ଓ ସେଥିରେ ସେ ସଫଳ ହୋଇଛନ୍ତି । ତାଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ହୁଏ ତ ଜନ ସମର୍ଥନ ପାଇବା ରେ ବିଫଳ ହୋଇଛନ୍ତି, ସେ ଦୃଷ୍ଟିରୁ ନବୀନ ପଟନାୟକଙ୍କ ସଫଳତା କୁ ସ୍ଵୀକାର କରିବାକୁ ପଡିବ। ନବୀନ ପଟନାୟକଙ୍କର ବିକଳ୍ପ ନାହିଁ ବୋଲି ଯାହା କୁହା ଯାଉଛି, ମୁଁ ସେଥିରେ ସମ୍ପୂର୍ଣ ଏକମତ ନୁହେଁ। ନବୀନ ପଟନାୟକଙ୍କର ବିକଳ୍ପ ଅଛି କିନ୍ତୁ ଯେଉଁମାନେ ବିକଳ୍ପ ହେବାକୁ ଚାହୁଁଛନ୍ତି ସେମାନେ ଜନ ସମର୍ଥନ ହାସଲ କରିବାରେ ଅସଫଳ ହୋଇଛନ୍ତି। ସେହି ଜନ ସମର୍ଥନ ହାସଲ କରିବାର କୌଶଳ କୌଣସି ଦଳ କିମ୍ବା ବ୍ୟକ୍ତି ଏ ପର୍ଯ୍ୟନ୍ତ ଦେଇ ପାରି ନାହାନ୍ତି। ତା ମାନେ ନୁହେଁ ଯେ ଆଉ କେହି ଦେଇ ପରିବେନି ଓ ଏ ବିକଳ୍ପ ଆଉ କେବେ ଆସିବନି । ଗଣତନ୍ତ୍ର ରେ ସଂଖ୍ୟାଖେଳ ରେ ଯେ ଅଧିକ ସଂଖ୍ୟା ପାଇଲା ସେ ସବୁବେଳେ ଠିକ ବୋଲି କହିବା ଟା ଠିକ ହେବ କି ? ଅନେକ ସମୟରେ ସଂଖ୍ୟାଧିକ ସମର୍ଥନ ପାଉଥିବା ବ୍ୟକ୍ତି, ନୀତି ବା କାର୍ଯ୍ୟକ୍ରମ ଓଡିଶା ର ସମୂହ ସ୍ଵାର୍ଥ ଦୃଷ୍ଟି ରୁ ଠିକ ନ ହୋଇପାରେ। ଓଡିଶା ର ଜନ ସାଧାରଣ ପରିବର୍ତ୍ତନ ଚାହୁଁ ଥିଲେ ମଧ୍ୟ ସେମାନଙ୍କ ପାଖରେ କୌଣସି ଉପାୟ ନାହିଁ କାରଣ ବିରୋଧୀ ଦଳ ମାନେ ନବୀନ ପଟନାୟକଙ୍କ ସମକକ୍ଷ ନେତାଟିଏ ଏ ପର୍ଯ୍ୟନ୍ତ ଦେଇ ପାରିଲେନି ।
ନେତାଟିଏ କଣ କରିବ ! ନେତାମାନେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି ଯେଉଁ ସାଧାରଣ ଲୋକ ମାନେ ନବୀନ ପଟନାୟକଙ୍କୁ ସ୍ଵଚ୍ଛ ବୋଲି ଭାବୁଛନ୍ତି । ନବୀନ ପଟନାୟକ ରାଷ୍ଟ୍ରକୃପା କୁ ବ୍ୟବହାର କରି ଜଣ ସମର୍ଥନ ଜିଣି ନାହାନ୍ତି, କିଣିବାରେ ସଫଳ ହୋଇଛନ୍ତି। ସେଇ ସାଧାରଣ ଲୋକଙ୍କର ମନ ପରିବର୍ତ୍ତନ କରାଇବାକୁ ଏ ପର୍ଯ୍ୟନ୍ତ ଅନ୍ୟ ଦଳ ବା ନେତା ସଫଳ ହୋଇ ନାହାନ୍ତି। ଏ କଥା ସ୍ଵୀକାର କରିବାକୁ ପଡିବ। କିନ୍ତୁ ସେମାନେ ସଫଳ ହୋଇ ନାହାନ୍ତି ବୋଲି ଏହାର ବିକଳ୍ପ ନାହିଁ କିମ୍ବା ଏ ନୀତି ର ପରିବର୍ତ୍ତନ ର ଆବଶ୍ୟକତା ନାହିଁ ଏ ଯୁକ୍ତି ସହ ମୁଁ ଏକମତ ନୁହେଁ। ଓଡିଶା ର ସାମୁହିକ ସ୍ଵାର୍ଥ ଦୃଷ୍ଟି ରୁ ଏହା ଶୁଭଂକର ନୁହେଁ, ସଂଖ୍ୟାଧିକ ଲୋକ ହୁଏ ତ ଏ କଥା ବୁଝିପାରୁ ନାହାନ୍ତି। ଲୋକଙ୍କୁ ଦୋଷ ଦେଇ ଲାଭ ନାହିଁ। ସମସ୍ତେ ଟଙ୍କିକିଆ ଚାଉଳ କଥା କହୁଛନ୍ତି, ୫ ଟଙ୍କିଆ ଭାତ ଡାଲମା କଥା କହୁଛନ୍ତି। ଓଡିଶାର ଇତିହାସ କହୁଛି ସେତେବେଳେ ଓଡିଶାର ଅନେକ ଲୋକ ଛତରଖିଆ ହେବା କୁ ଚାହୁଁ ନଥିଲେ, ମରିବେ ପଛେ, ଛତରଖିଆ ହେବେ ନାହିଁ। କିନ୍ତୁ ଏବେ ଲୋକେ ପକେଟ ରେ ମୋବାଇଲ ଧରି, ସ୍କୁଟର ରେ ଘରୁ ମାଛଭଜା ଧରି ଆସି ୫ ଟଙ୍କିଆ ଭାତ ଡାଲମା ଖାଉଛନ୍ତି, ଆମେ ଏହାଦ୍ଵାରା କି ପ୍ରକାର ବାର୍ତ୍ତା ଦେଉଛୁ ! ଟଙ୍କିକିଆ ଚାଉଳ ଦ୍ଵାରା ହୁଏତ ଅନାହାର ମୃତ୍ୟୁ କୁ ଆମେ ରୋକି ପାରିବା, କିନ୍ତୁ ଅନାହାର ମୃତ୍ୟୁ କୁ ରୋକିବା କଣ ଆମର ଏକମାତ୍ର ଲକ୍ଷ୍ୟ? ଆମର ଲକ୍ଷ୍ୟ କଣ ଓଡିଆ ମାନଙ୍କୁ ନିଷ୍କର୍ମା, ଅଳସୁଆ କରିବା? କିନ୍ତୁ ଭୋଟ ମିଳୁଛି ! ଜୋ ଜିତା ୱୋହୀ ସିକନ୍ଦର।
କଂଗ୍ରେସ ଓ ବିଜେପି ମୁଖ୍ୟ ସାଶକ ଦଳ ର ମୁକାବିଲା କରିପାରି ନାହାନ୍ତି ଏହା ସତ୍ୟ। କିନ୍ତୁ ଏଥିପାଇଁ ନୁହେଁ ଯେ ସେମାନଙ୍କ ପାଖରେ ବିକଳ୍ପ ନାହିଁ। କାରଣ ସବୁ ଦଳର ସାଙ୍ଗଠନିକ ସମସ୍ୟାରହିଛି । ଓଡିଶା ରେ କୌଣସି ଦଳ ର ସାଙ୍ଗଠନିକ ଶକ୍ତି କେବେ ନଥିଲା। ଆଜି ଓଡିଶା ର କୃଷକ ନେତା କିଏ, ଓଡିଶା ର ଶ୍ରମିକ ନେତା କିଏ, ଓଡିଶା ର ସାଂସ୍କୃତିକ ଜୀବନ ର ନେତୃତ୍ଵ ନେଉଥିବା ବ୍ୟକ୍ତି କିଏ, ଓଡିଆ ସାହିତ୍ୟ କ୍ଷେତ୍ର ରେ ନିର୍ବିବାଦୀୟ ବ୍ୟକ୍ତି ଟି କିଏ? ସାମଗ୍ରିକ ଭାବେ ଆମେ କାହାକୁ ଓଡିଶା ର ମାର୍ଗଦର୍ଶକ ବୋଲି ଗ୍ରହଣ କରି ପାରିବା? ଐତିହାସିକ ଭାବେ ସବୁ ରାଜନୈତିକ ଦଳ ଛାତ୍ର ମାନଙ୍କୁ ବ୍ୟବହାର କରି ଆସୁଥିଲେ। କାରଣ ସବୁ ପରିବର୍ତ୍ତନ ଓ ଆନ୍ଦୋଳନ ର ସୂତ୍ରଧର ଛତ୍ର ସଂଗଠନ ହେଉଥିଲା । ପ୍ରତିବର୍ଷ କଲେଜ ନିର୍ବାଚନ ହେଉଥିଲା, ଗୋଟେ ନିୟମିତ ସାଙ୍ଗଠନିକ ପ୍ରକ୍ରିୟା ଚାଲିଥିଲା। ସେଇମାନେ ସବୁ ଛୋଟ ବଡ କଥା କୁ ନେଇ ଆନ୍ଦୋଳନ ଆରମ୍ଭ କରୁଥିଲେ । ବର୍ତ୍ତମାନ ସେଇ ଛାତ୍ର ସଂଗଠନ ଗୁଡିକ ମଧ୍ୟ ବିକ୍ରି ହୋଇ ଗଲେଣି; ନା କୃଷକ ସଂଗଠନ ଅଛି, ନା ଶ୍ରମିକ ସଂଗଠନ ଅଛି । ଅବନୀ ବାବୁଙ୍କ ନେତୃତ୍ଵ ରେ ୮୦ ଦଶକ ରେ ଶିକ୍ଷକ ମାନେ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟ ରେ ଗୋଟେ ବଳିଷ୍ଠ ଗୋଷ୍ଠୀ ଭାବେ ମୁଣ୍ଡ ଟେକିଥିଲେ । କିନ୍ତୁ ପରବର୍ତ୍ତୀ ସରକାର ମାନେ ବୁଦ୍ଧି ଶିଖିଲେ ଯେ ଏମାନଙ୍କୁ ଏକାଠି ରଖିବା ଠିକ ନୁହେଁ । ବର୍ତ୍ତମାନ ଚଉଦ ରକମ ର ଶିକ୍ଷକ ଓ ସେମାନେ ମଧ୍ୟ ଆଉ ଏକାଠି ହେଇପାରୁ ନାହାନ୍ତି। ରାଜନୈତିକ ଦଳ ମାନେ ଏ ଐତିହାସିକ ଦୁର୍ବଳତା କୁ ଦୂର କରିବାକୁ ଚେଷ୍ଟା କରୁ ନାହାନ୍ତି। କଂଗ୍ରେସ ର ପ୍ରତି ଗାଁ ରେ ପହଞ୍ଚ ଥିଲା, ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଯୋଗୁଁ କଂଗ୍ରେସ ପ୍ରତି ଗାଁ ରେ ପହଞ୍ଚି ପାରିଥିଲା। କିନ୍ତୁ ସେ ୫୦ ବର୍ଷ ତଳ ର କଥା। ସେମାନଙ୍କ ଅନ୍ତେ ଯେଉଁ ନୂଆ ପୀଢି ର ସଂଗଠନ ତିଆରି କରିବା କଥା ତାହା ହୋଇନାହିଁ । କେବଳ ସରକାରୀ କୃପାକୁ ବ୍ୟବହାର କରି ଆମେ ଯାହା ସଂଗଠନ ଠିଆ କରିବାକୁ ଚାହୁଁଛୁ ତାହା ଚିରସ୍ଥାୟୀ ହୋଇ ପାରୁନି। ବିଜେଡି ର ଯାହା ସଂଗଠନ ଦେଖୁଛନ୍ତି ତାହା ଏଇ ରାଷ୍ଟ୍ରକୃପା ରୁ। ଯାହାର ଯେତେ ପଇସା ସେ ସେତେବଡ ରାଲି କରିବ।
ମୁଁ ଗୋଟେ ବାଧ୍ୟ ବାଧକତା ରେ ଦଳ ଗଢିଥିଲି । ନିର୍ବାଚନ ର କିଛିଦିନ ପୂର୍ବରୁ କଂଗ୍ରେସ ପାର୍ଟି ମୋତେ ଦଳ ରୁ ବହିଷ୍କାର କଲା । ମୁଁ ଆଶା କରୁ ନଥିଲି ଯେ ମୋତେ ଏତେ ଶୀଘ୍ର ଚିହ୍ନ ମିଳିଯିବ ଓ ଦଳ ର ରେଜିଷ୍ଟ୍ରେଶନ ହେଇଯିବ। ମୁଁ ଗୋଟେ ବାଧ୍ୟବାଧକତା ରେ ନିର୍ବାଚନ ଲଢିଲି। ଗୋଟେ ସ୍ଵାଭିମାନର ପ୍ରଶ୍ନ ଥିଲା।
ଆପଣଙ୍କ ଠାରୁ ବି ଓଡିଶା ର ଲୋକ କିଛି ପରିବର୍ତ୍ତନ ର ଆଶା ରଖୁଛନ୍ତି। ଯଦି ମୋ ଦଳ ଠାରୁ କିଛି ଆଶା କରାଯାଉଥିଲା ତାହା ମଧ୍ୟ ଆମ ରାଜନୈତିକ ବ୍ୟବସ୍ଥା ର ଏକ ଦୁର୍ବଳତା । ଯେଉଁମାନେ ବର୍ଷ ବର୍ଷ ଧରି ଦଳ କରିଛନ୍ତି ସେମାନଙ୍କଠୁ କିଛି ଆଶା ନାହିଁ , ମୋର ପନ୍ଦର ଦିନ ର ଦଳଠାରୁ ଯଦି କେହି କିଛି ଆଶା କରୁଛନ୍ତି ସେମାନଙ୍କର କିଛି ଗୋଟେ ବିଚାର ବିଭ୍ରାଟ ଅଛି ।
ମୁଁ ନବୀନ ପଟନାୟକଙ୍କର ବିକଳ୍ପ ଭାବେ ନିଜକୁ କେବେ ଉପସ୍ଥାପିତ କରିନାହିଁ । ମୁଖ୍ୟମନ୍ତ୍ରୀ ହେବା ପାଇଁ କଣ ଗୋଟେ ସେମିତି ଯୋଗ୍ୟତା ଅଛି? ନବୀନ ପଟନୟକଙ୍କର କଣ ଯୋଗ୍ୟତା ଅଛି? କାଗଜ କଲମ ରେ ସମ୍ବିଧାନ ଦୃଷ୍ଟିରୁ ସେମିତି କୌଣସି ଯୋଗ୍ୟତା ନାହିଁ । ସେ ତ ଆମ ଓଡିଆ ଭାଷା ଠିକ ରେ କହି ପାରୁ ନାହାନ୍ତି। ମୁଁ ତ କହିବି ପ୍ରଥମରୁ ଯୋଗ୍ୟତା ନାହିଁ। ଓଡିଆ ନ ଜାଣିଥିଲେ ଆପଣ ସରପଞ୍ଚ ହେଇ ପରିବେନି, ଓଡିଆ ନ ଜାଣିଥିଲେ ଆପଣ କେମିତି ମୁଖ୍ୟମନ୍ତ୍ରୀ ହେଇ ପାରିବେ? କିନ୍ତୁ ମୁଁ ଯାହା କହିଲେ ମଧ୍ୟ ଲୋକ ତାକୁ ଗ୍ରହଣ କରିଛନ୍ତି। ମୁଁ ଏହାକୁ ଗ୍ରହଣ କରିପାରୁ ନାହିଁ। ଯେଉଁ ରାଜ୍ୟଟି ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଲା, ଯେଉଁଠି ଓଡିଆ ଭାଷା କୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ସେ ରାଜ୍ୟ ରେ ମୁଖ୍ୟମନ୍ତ୍ରୀ ଭାଷା ନ ଜାଣିଥିଲେ ମଧ୍ୟ ଲୋକେ ସେ କଥା କୁ ଦୋଷ ବୋଲି ଧରୁ ନାହାନ୍ତି। କେଉଁଠି ନ କେଉଁଠି ଏକ ବିଭ୍ରାଟ ଅଛି। ଆମେ ଖାଲି ଓଡିଆ ଓଡିଆ କହିଲେ ହେବନି। ଯେଉଁ ଓଡିଆ ଜନସାଧାରଣ ଭୋଟ ଦେଉଛନ୍ତି ହୁଏତ ସେମାନେ ଏ କଥା କୁ ବୁଝି ନାହାନ୍ତି କିମ୍ବା ଆମେ ଏ କଥା କୁ ଠିକ ଭାବେ ସେମାନଙ୍କ ପାଖରେ ପହଞ୍ଚାଇ ପାରିନାହୁଁ । ଆମ ଦୋଷ କୁ ଘଣ୍ଟ ଘୋଡେଇଲେ ହେବନି। ଯଦି ଲୋକ ମୋ ଠାରୁ କିଛି ଆଶା କରୁଛନ୍ତି ସେମାନଙ୍କୁ ଅପେକ୍ଷା କରିବାକୁ ପଡିବ।
ଆଗକୁ ଆପଣଙ୍କର ରାଜନୈତିକ ଯୋଜନା କଣ?
ଓଡିଶା ରାଜନୀତି ରେ ଦଳଟିଏ ସଫଳ ହେବା କୁ ହେଲେ ଗୋଟିଏ ଦୁଇଟି ସମସ୍ୟା କୁ ନେଇ ଆଗେଇବା ଦରକାର ଓ ଆମର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିବା ଦରକାର ଓ ତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଗୋଟେ ବ୍ୟବସ୍ଥା ରହିବା ଦରକାର। ଓଡିଶା ରାଜନୀତି କୁ ଯେଉଁ ଅବାଞ୍ଛିତ ତତ୍ତ୍ବ ମାନେ ନିୟନ୍ତ୍ରଣ କରୁଛନ୍ତି ସେଥିରୁ ମୁକ୍ତ ରହି କିଭଳି ରାଜନୀତି କରିବା ସେଥିପାଇଁ ଉଦ୍ୟମ ହେବା ଦରକାର। ଅବାଞ୍ଛିତ ତତ୍ତ୍ବ କହିଲେ - ବାହୁବଳ, ରାଷ୍ଟ୍ରକୃପା ର ବ୍ୟବହାର କରି ଭୋଟ ପାଇବା ଓ ଅର୍ଥବଳ। ୨୦୦୩ ପରେ ଓଡିଶା ରାଜନୀତି କୁ ଯେଉଁଭଳି ଭାବେ ଅର୍ଥବଳ ପଶିଆସିଛି - ସେ ଖଣି ଖଦାନ ମାଧ୍ୟମ ରେ ହେଉ, ଜମି ମାଫିଆଙ୍କ ମାଧ୍ୟମରେ ହେଉ, ଚିଟଫଣ୍ଡ ମାଧ୍ୟମ ରେ ହେଉ କି ସେ ସରକାରୀ ଯୋଜନା ରୁ ବାଟମାରଣା ହେଉ- ଲୋକଙ୍କ ପାଖରେ ପଇସା ପହଞ୍ଚିଛି। ଓଡିଶା ବଜାର ରେ ବହୁତ ପଇସା ବୁଲିଲା ଯାହା କି ଆମର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାକୁ ଓଲଟ ପାଲଟ କରି ଦେଇଛି । ଏ କଥା କୁ କେହି ତର୍ଜମା କରିବାକୁ ପ୍ରସ୍ତୁତ ନୁହନ୍ତି। ଆପଣଙ୍କ ପାଖରେ ପଇସା ନଥିଲେ ଇଲେକ୍ସନ ଲଢି ପାରିବେ ନାହିଁ। ଯାହା ପାଖରେ ପଇସା ନାହିଁ ସେ ରାଜନୀତି କରିବାକୁ ଯୋଗ୍ୟ ନୁହେଁ। ଏହା ଏକ ସାମୟିକ ଅବକ୍ଷୟ । ଆମେ ଯଦି ସେ ବାଟ ରେ ଯିବା ତା ହେଲେ ପରିବର୍ତ୍ତନ ହୋଇ ପାରିବ ନାହିଁ । ଏହାର ପରିବର୍ତ୍ତନ କରିବାକୁ ହେଲେ କେହି ଜଣେ ଅମଡା ମାଡିବାକୁ ପଡିବ। କେହି ଜଣେ ସାହସ କରି ବିକଳ୍ପ ଚିନ୍ତା କରିବା ଦରକାର ଓ ଓଡିଶାର ସଂଖ୍ୟାଧିକ ଲୋକ ଯେଉଁ ବର୍ଗ ର ସେମାନଙ୍କୁ ସଂଗଠିତ କରିବାର ଅବଶ୍ୟକତା ଅଛି । ଆପଣ ତ ଦଳ ଗଢି ଅମଡା ମାଡି ସାରିଲେଣି, ଆଗକୁ ରାସ୍ତା କଣ?
ମୋର ଅମଡା ମାଡିବା ଗୋଟେ ଅଭ୍ୟାସ। ମୁଁ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରିଛି। ଯେତେବେଳେ ରାଜନୈତିକ ଦଳ ମାନଙ୍କ ଭିତରେ ନିଜକୁ ଖାପଖୁଆଇ ପାରିଲିନି, ଯେଉଁ ଦଳ ର ଭଲ ପାଇଁ କାମ କରୁଥିଲି ସେମାନେ ଭୁଲ ବୁଝି ବହିଷ୍କାର କଲେ, ମୁଁ ଆଉ କଣ କରିଥାନ୍ତି? ମୁଁ ଯେଉଁଠୁ ଲଢିଲି, ପ୍ରାୟ 600 ଭୋଟ ରେ ହାରିଲି। ଆଉ 300 ଭୋଟ ପାଇଥିଲେ ପରିସ୍ଥିତି ଅଲଗା ପ୍ରକାର ହୋଇଥାନ୍ତା। ମୁଁ ସେଥିରେ ହତୋତ୍ସାହିତ ହୋଇ ନାହିଁ । ସଂଗଠନ କରିବା ପାଇଁ ସମ୍ବଳ ନଥିଲା କି ସମୟ ନଥିଲା। ଏବେ କିନ୍ତୁ ସେ ସମୟ ଅଛି। ଯେଉଁମାନେ ଗତ ଦଶବର୍ଷ ଭିତରେ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନେ ଏକାଠି ହେଲେ ଗୋଟେ ବିକଳ୍ପ ଦେଇ ପାରିବେ, ନେତାମାନେ ଏକାଠି ହେଲେ ନୁହେଁ। ମୁଁ ସେଥିପାଇଁ ଏ ସବୁ ବର୍ଗଙ୍କ ସହ ମିଶିବା ପାଇଁ ଚେଷ୍ଟା କରୁଛି । ଗୋଟିଏ ବର୍ଗ, ଗୋଷ୍ଠୀ ବା ଦଳ ଚାହିଁଲେ କିଛି ପରିବର୍ତ୍ତନ ହୋଇ ପାରିବ ନାହିଁ । କୃଷକ, ଶ୍ରମିକ, ଶିକ୍ଷକ ସମସ୍ତେ ଏକାଠି ନ ହେଲେ ଅବାଞ୍ଛିତ ତତ୍ତ୍ଵ ମାନଙ୍କ ଦ୍ଵାରା କବଳିତ ରାଜନୀତି ରୁ ମୁକ୍ତି ମିଳିବା ସହଜ ନୁହେଁ।
[ସୌମ୍ୟରଞ୍ଜନଙ୍କ ସହ ସାକ୍ଷାତକାର ର ଦ୍ଵିତୀୟ ଭାଗ ରେ ଓଡିଶା ର ସାଂସ୍କୃତିକ ଜୀବନର ଅବକ୍ଷୟ କୁ ନେଇ ଚର୍ଚ୍ଚା]
ConversionConversion EmoticonEmoticon